fbpx

ରୋମାଞ୍ଚକର ମୁକାବିଲା ଜିତି କୋପା ଆମେରିକା କବ୍ଚା କଲା ଆର୍ଜେଣ୍ଟିନା, ମ୍ୟାଚରେ କାନ୍ଦିଲେ ସୁପରଷ୍ଟାର ମେସି…

ଓଡିଶା ଭାସ୍କର: ହାର୍ଡ ରାଁକ ଷ୍ଟାଡିୟମରେ ଗୁଞ୍ଜରିତ ହୋଇ ଉଠୁଥିଲା ଫୁଟବଲ ପ୍ରେମୀଙ୍କ ଭଲପାଇବା । ପଡିଆରେ ଲଢୁଥିଲେ ଦୁଇ ପ୍ରତିନ୍ଦ୍ୱନ୍ଦୀ ଆର୍ଜେଣ୍ଟିନା ଓ କଲମ୍ବିଆ । ନିର୍ଦ୍ଧାରିତ ସମୟରେ ଫାଇନାଲରେ କେହି କାହକୁ ଗୋଲ ଦେଇ ପାରି ନଥିଲେ । ଫଳରେ ମ୍ୟାଚ ଅତିରିକ୍ତ ସମୟକୁ ଚାଲି ଯାଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣରେ ମ୍ୟାଚ ରୋମାଞ୍ଚର ଶେଷ ସୀମା ମଧ୍ୟ ପାର କରି ସାରିଥିଲା । ମ୍ୟାଚ ମଝିରେ ମେସି ଆହତ ହେଲେ । ତଥାପି ଖେଳିବାର ପ୍ରୟାସ କଲେ । ମାତ୍ର ପାରିଲେନି, କାରଣ ତାଙ୍କୁ ଗୁରୁତର ଆହତ ଲାଗିଲା । କିନ୍ତୁ, ଏତେ ସବୁ ହାଇଡ୍ରାମା ପରେ ଶେଷରେ କଲମ୍ବିଆକୁ ହରାଇ ଆର୍ଜେଣ୍ଟିନା ଚଳିତବର୍ଷର କୋପା ଆମେରିକାର ଚାମ୍ପିଅନ ହୋଇଛି । ନିଜର ୧୬ ତମ ଟାଇଟଲ ଜିତିଛି ଆର୍ଜେଣ୍ଟିନା ।

ଅତିରିକ୍ତ ସମୟରେ ମାତ୍ର ଆଉ ୮ ମିନିଟ ରହିଥିବାବେଳେ ଆର୍ଜେଣ୍ଟିନା ପକ୍ଷରୁ ମାର୍ଟିନେଜ ଦମଦାର ଗୋଲ ଦେଇ ଆର୍ଜେଣ୍ଟିନାକୁ ଏହି କୋପା ଆମେରିକା ଚାମ୍ପିଆନ କରାଇଛନ୍ତି । ଏହି ବିଜୟ ସହ ମେସି ଓ ତାଙ୍କର ଅନେକ ଫ୍ୟାନ୍ସ ବେଶ୍ ଉତ୍ସାହିତ ଅଛନ୍ତି । ବିଶ୍ୱ ଦେଖିଛି ଆର୍ଜେଣ୍ଟିନାର କୋପା ଆମେରିକାରେ ଦବଦବା ।

ଆଜିର ଏହି ଫାଇନାଲ ଫାଇଟ ମ୍ୟାଚ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା । କାରଣ ବହୁ ପ୍ରଶଂସକ ବିନା ଟିକେଟରେ ଏ ଲଢେଇ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ । ପରେ ଆରମ୍ଭ ହେଲା ରୋମାଞ୍ଚକର ମହାଲଢେଇ । ଲୁଟାରୋ ମାର୍ଟିନେଜଙ୍କ ୧୧୨ ତମ ମିନିଟରେ ଗୋଲ କରି ସାରା ଷ୍ଟାଡିୟମ ସହ ସାରା ବିଶ୍ୱର ଅଗଣିତ ଫୁଟବଲ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଥିଲେ । ତାହା ସହ ବିଶ୍ୱ ଦେଖିଲା ଆର୍ଜେଣ୍ଟିନାର ଏହି ଦମଦାର ଖେଳ ପ୍ରଦର୍ଶନ ସାଙ୍ଗକୁ ଷ୍ଟାର ଖେଳାଳିଙ୍କ ସଟ ଓ ଗୋଲ ।

ଫାଇନାଲରେ ୧-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ଏହି ବିଜୟ ମୁକୁଟ ପିନ୍ଧି ପାରିଛି । ୨୦୨୧ ମସିହାରେ ବି ଆର୍ଜେଣ୍ଟିନା ମେସିଙ୍କ ନେତୃତ୍ୱରେ କୋପା ଆମେରିକା ଜିତି ଇତିହାସ ରଚିଥିଲା । ଯାହାକୁ ଏବେ ପୁଣି ଥରେ ଦୋହୋରାଇଛି । ମ୍ୟାଚର ୬୬ ତମ ମିନିଟରେ ମେସି କାନ୍ଦି କାନ୍ଦି ପଡିଆ ବାହାରକୁ ଆସୁଥିବା ଦୃଶ୍ୟ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ କନ୍ଦାଇଥିଲା ।

Get real time updates directly on you device, subscribe now.