fbpx

ଅର୍ଶଦ ନଦୀମଙ୍କ ଡୋପ୍ ଟେଷ୍ଟ ପାଇଁ ଉଠିଲା ଦାବି: ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପାକିସ୍ତାନୀ ଆଥଲେଟଙ୍କୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଜାଭେଲିନ ଥ୍ରୋ’ରେ ପାକିସ୍ତାନୀ ଆଥଲେଟ ଅର୍ଶଦ ନଦୀମ ୯୨.୯୭ ମିଟର ରେକର୍ଡ ଥ୍ରୋ କରି ଟପ୍ ପୋଜିସନ ହାସଲ କରିଥିଲେ । ସେହିପରି ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୮୯.୪୫ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଅର୍ଶଦ ଚଳିତ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୀରଜ ରୌପ୍ୟ ପଦକ ଜିତିଥିଲେ । ସେହିପରି ଗ୍ରେନେଡାର ଆଣ୍ଡରସନ ଫିଟର୍ସ ୮୮.୫୪ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ ।

ତେବେ ପ୍ୟାରିସ ଅଲିମ୍ପିକ୍ସରେ ୯୨.୯୭ ମିଟର ରେକର୍ଡ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିବା ପରେ ପାକିସ୍ତାନୀ ଆଥଲେଟ ଅର୍ଶଦଙ୍କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଅର୍ଶଦଙ୍କ ଡୋପ୍ ଟେଷ୍ଟ ହେଉ ବୋଲି ଦାବି କରିଛନ୍ତି ଅନେକ ପ୍ରବାସୀ ଭାରତୀୟ । ଏହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଅନେକ ପୋଷ୍ଟ ଶେୟାର କରାଯାଇଥିବା ଦେଖିବାକୁ ମିଳିଛି । ଗତ ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭.୫୮ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚଳିତ ଥର ସେ ଅର୍ଶଦଙ୍କ ରେକର୍ଡ ବ୍ରେକିଂ ପ୍ରଦର୍ଶନ ଠାରୁ ପଛରେ ରହି ଯାଇଥିଲେ । ତେବେ ଏହାକୁ ଅନେକ ସହଜରେ ଗ୍ରହଣ କରିପାରିନାହାନ୍ତି ।

‘ନଦୀମ ବିଶ୍ୱ ରେକର୍ଡ କରିଥିବେ ବୋଲି ବିଶ୍ୱାସ ହେଉନାହିଁ । ତେଣୁ ଅଫିସିଆଲ ଭାବେ ତାଙ୍କର ଡୋପ୍ ଟେଷ୍ଟ ହେଉ’ ବୋଲି ଜଣେ ୟୁଜର ଲେଖିଛନ୍ତି । ସେହିପରି ‘ନଦୀମଙ୍କ ଡୋପ୍ ଟେଷ୍ଟ କରିବା ନିହାତି ଆବଶ୍ୟକ, ଅଲିମ୍ପିକ୍ସ କମିଟି ଏହାକୁ ଗୁରୁତ୍ୱର ସହ ନେବା ଜରୁରୀ, ନଦୀମଙ୍କ ପାଇଁ ୯୨.୯୭ ମିଟର ଥ୍ରୋ କରିବା ଅସମ୍ଭବ’ ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି । ‘ନଦୀମ କିଛି ବେଆଇନ୍ ଷ୍ଟେରଏଡସ ନେଇଛନ୍ତି । ଡୋପ୍ ଟେଷ୍ଟ କଲେ ସେ ନିଶ୍ଚିତ ଫେଲ୍ ହେବେ । ନୀରଜ ଚୋପ୍ରା ନିଶ୍ଚିତ ଭାବେ ସ୍ୱର୍ଣ୍ଣ ପଦକ ଜିତିବେ’ ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି । ‘ନଦୀମ ଡୋପ ଟେଷ୍ଟରେ ପାସ୍ କରିବା ନେଇ ସନ୍ଦେହ ହେଉଛି’ ବୋଲି ଆଉ ଜଣେ ଲେଖିଛନ୍ତି ।

Get real time updates directly on you device, subscribe now.