fbpx

ଡବଲ ଇଞ୍ଜିନରେ କୋଇଲା ଥିଲା, ତେଣୁ ଜଙ୍କ ଖାଇଗଲା: ଆମେ ନୂଆ ବିଜୁଳି ଇଞ୍ଜିନ୍ ଆଣିବୁ-କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ନିର୍ବାଚନୀ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ବର୍ଷିଛନ୍ତି । ଗୋଟିଏ ବର୍ଷ ପରେ ବୃକ୍ଷରେ ପତ୍ର ପରିବର୍ତ୍ତନ ହୋଇଥାଏ । ମାତ୍ର ରାଜ୍ୟରେ ୨୭ ବର୍ଷ କ୍ଷମତାରେ ରହିବା ପରେ ଭାଜପା କ’ଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାର କୋଇଲାରେ ଗଠନ ହୋଇଥିଲା, ତେଣୁ ତାହା ଜଙ୍କ ଖାଇ ନଷ୍ଟ ହୋଇଗଲା । ଏବେ ଆମେ ବିଜୁଳି ବାଲା ନୂଆ ଇଞ୍ଜିନ ଆଣିବୁ । ଲୋକମାନେ ଏବେ ନୂଆ ଇଞ୍ଜିନ ଚାହୁଁଛନ୍ତି । ଦେଶକୁ ଆଗକୁ ନେବାକୁ ହେଲେ ଆଜିର ଶିଶୁଙ୍କୁ ଭଲ ଶିକ୍ଷା ପ୍ରଦାନ କରିବା ନିହାତି ଜରୁରୀ । ମାଗଣା ରେବଡ଼ି ବଣ୍ଟନ କଲେ ଦେଶ ଆଗକୁ ବଢ଼ିବ ନାହିଁ । ଗରିବଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପ୍ରତ୍ୟେକ ସରକାରର ପ୍ରାଥମିକ ଦାୟିତ୍ୱ ହେବା ଉଚିତ ।

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ଉପରେ କେଜ୍ରି ବାଣ ମାରିଛନ୍ତି । ଆସନ୍ତା ନିର୍ବାଚନରେ କଂଗ୍ରେସ ସିଟ ସଂଖ୍ୟା ୫ରୁ ତଳକୁ ଖସିବ । ଦିନକୁ ଦିନ କଂଗ୍ରେସ ତଳକୁ ତଳକୁ ଯାଉଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ନିଜର ସ୍ଥିତି ବଜାୟ ରଖି ପାରିବ ନାହିଁ । ଯେଉଁ ସରକାର ଜନତାଙ୍କ ପାଇଁ କାମ କରୁନାହିଁ, ସେ ଇସ୍ତଫା ଦେଇଦେବା ଉଚିତ । ଦେଶର ଲୋକଙ୍କ ଅପମାନ କରିବାର ଅଧିକାର କାହାର ନାହିଁ । ରାଜନେତାମାନେ ମାଗଣାରେ ୪ ହଜାର ୟୁନିଟ ବିଜୁଳି ନେଉଛନ୍ତି, ମାତ୍ର ଜନତାଙ୍କୁ ୩ ଶହ ୟୁନିଟ ବିଜୁଳି ମାଗଣାରେ ଦେବାକୁ କହିଲେ ଆମକୁ ଗାଳି ଦେଉଛନ୍ତି ।

Get real time updates directly on you device, subscribe now.