fbpx

ଓଡ଼ିଶା ହେବ ଦେଶରେ ପ୍ରଥମ: ରାଜ୍ୟରେ ଏକସଙ୍ଗେ ପ୍ରତିଷ୍ଠା ହେବ ୪୧ଟି କ୍ରିକେଟ ଏକାଡେମୀ, ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷ ବର୍ଷ ଧରି ଜାତୀୟ ସ୍ତରୀୟ କ୍ରିକେଟରେ ଓଡ଼ିଶାର କ୍ରିକେଟରଙ୍କ ଅନୁପସ୍ଥିତି ରାଜ୍ୟର କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଆଘାତ ଦେଇଛି । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ପରି ହାତ ଗଣତି କିଛି କ୍ରିକେଟରଙ୍କୁ ଛାଡ଼ିଦେଲେ ଜାତୀୟ ସ୍ତରରେ ଓଡ଼ିଆ ଖେଳାଳିଙ୍କର ବଡ଼ ଅଭାବ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସମୟରେ ରାଷ୍ଟ୍ରୀୟ ଟିମର ଦିନିକିଆ, ଟେଷ୍ଟ କି ଟି-୨୦ରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ସ୍ଥାନ ପାଇ ପାହାନ୍ତି । ବିଭିନ୍ନ କ୍ରୀଡ଼ା ପରି କ୍ରିକେଟର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଅନେକ ସମୟରେ ବିଭିନ୍ନ ମହଲରୁ ଦାବି ହୋଇଥିଲା ।

ତେବେ ଏନେଇ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟରେ କ୍ରିକେଟର ବିକାଶ ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବୃହତ ଯୋଜନା ହାତକୁ ନେଇଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏକକାଳୀନ ୪୧ଟି କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବ । ଚଳିତ ମାସ ଶେଷ ସପ୍ତାହରେ ବାରବାଟୀ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କ୍ରିକେଟ ଏକାଡେମୀଗୁଡ଼ିକୁ ଶିଳାନ୍ୟାସ କରିବେ ।

ରାଜ୍ୟରେ କ୍ରିକେଟକୁ ଆଗକୁ ନେବା ପାଇଁ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ପକ୍ଷରୁ ଏକ ବୃହତ ଯୋଜନା ହାତକୁ ନିଆଯାଇଛି । ରାଜ୍ୟର କ୍ରିକେଟ ପ୍ରତିଭାମାନଙ୍କୁ ଅନ୍ୱେଷଣ କରି ସେମାନଙ୍କୁ ଏହି କ୍ରିକେଟ ଏକାଡେମୀମାନଙ୍କରେ ପ୍ରଶିକ୍ଷଣ ଦିଆଯିବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଏକାଡେମୀ ସ୍ଥାପନ କରାଯିବା ସହିତ ଭୁବନେଶ୍ୱର, କଟକ ପରି ବଡ଼ ବଡ଼ ସହରମାନଙ୍କରେ ମଧ୍ୟ ଏହା ସ୍ଥାପନ କରାଯିବ । ଆଗାମୀ ଦିନରେ ଏହି ଏକାଡେମୀଗୁଡ଼ିକ କ୍ରିକେଟ ପ୍ରତିଭାଙ୍କ ବିକାଶରେ ସହାୟକ ହେବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ପ୍ରତି ଏକାଡେମୀ ପିଛା ପାଖାପାଖି ୧୦-୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏସିଏ ପକ୍ଷରୁ ପ୍ରଶିକ୍ଷଣଙ୍କୁ ନିଯୁକ୍ତି ଦିଆଯିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ (ବିସିସିଆଇ) ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ବୃହତ ଯୋଜନା ହାତକୁ ନିଆଯାଇଛି ।

Get real time updates directly on you device, subscribe now.