fbpx

ଲଖୀମପୁର ହିଂସାକାଣ୍ଡ: ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଉତ୍ତରପ୍ରଦେଶର ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଆସିଛି ନୂଆ ଅପଡେଟ୍ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ ଆଶୀଷଙ୍କୁ ମିଳିଛି ଆଶ୍ୱସ୍ତି । କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଦେବା ନେଇ ଆଶୀଷଙ୍କ ଉପରେ ମାମଲା ଲାଗିଥିଲା । ତେବେ ଏହି ମାମଲାରେ ଏବେ ଆଶୀଷଙ୍କୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି ।

ଲଖୀମପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶୀଷଙ୍କୁ ସୁପ୍ରିମକୋର୍ଟ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଆଶୀଷଙ୍କ ନାମରେ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇବା ମାମଲା ରହିଥିଲା । ପୂର୍ବ ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଆଶୀଷଙ୍କ ଜାମିନ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ମକଦ୍ଦମା ସମାପ୍ତ ହେବା ପର୍ଯ୍ୟନ୍ତ କାହାକୁ ଜେଲରେ ରଖିବା ଠିକ୍ ହେବ ନାହିଁ ବୋଲି କୋର୍ଟ କହିଥିଲେ । ଆଶୀଷ ୧ ବର୍ଷରୁ ଅଧିକ ସମୟ ଧରି ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି ।

ତେବେ ଟ୍ରାଏଲ କୋର୍ଟର ଶୁଣାଣି ବ୍ୟତୀତ ଆଶୀଷ ୟୁପି ମଧ୍ୟ ଯାଇ ପାରିବେ ନାହିଁ । କେବଳ ଏତିକି ନୁହେଁ, ସେ ଯେଉଁଠାରେ ବି ରହିବେ, ସେଠାକାର ଠିକଣା ଓ ସମ୍ବନ୍ଧିତ ଥାନା ବିଷୟରେ କୋର୍ଟଙ୍କୁ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଏହି ମାମଲାରେ ସୁପ୍ରିମକୋର୍ଟ ସ୍ୱତଃ ସଂଜ୍ଞାନ ନେଇ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ବେଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱୟଂ ସୁପ୍ରିମକୋର୍ଟ ଏହି ମାମଲାର ତଦାରଖ କରିବେ । ଟ୍ରାଏଲ କୋର୍ଟଙ୍କୁ ପ୍ରତ୍ୟେକ ଶୁଣାଣି ପରେ ସର୍ବୋଚ୍ଚ ଅଦାଲତଙ୍କୁ ବିବରଣୀ ପଠାଇବାକୁ ପଡ଼ିବ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ମାର୍ଚ୍ଚ ୧୪ରେ କରାଯିବ । ତେବେ ଅନ୍ତରୀଣ ଜାମିନ ସମୟରେ ଆଶୀଷ ୟୁପି ଓ ଦିଲ୍ଲୀରେ ରହିପାରିବେ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.