fbpx

ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା: ଭାରତ ଏହି ସୂଚନା ଦେଇଥିବା ଦାବି କଲେ ମାଇକ ପୋମ୍ପିଓ

ନୂଆଦିଲ୍ଲୀ: ଗତ ୨୦୧୯ର ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ସେଥିପାଇଁ ଭାରତ ମଧ୍ୟ ନିଜର ଦାୟିତ୍ୱ ନେଇ ପ୍ରସ୍ତୁତ ହେଉଥିଲା । ଭାରତର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏ ବାବଦରେ ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ ମାଇକ୍ ପୋମ୍ପିଓଙ୍କୁ ସୂଚନା ଦେଇଥିଲେ । ନିକଟରେ ପ୍ରକାଶିତ ହୋଇଥିବା ନିଜ ପୁସ୍ତକ ‘ନେଭର ଗିଭ୍ ଆନ୍ ଇଞ୍ଚ: ଫାଇଟିଂ ଫର ଦି ଆମେରିକା ଆଇ ଲଭ’ରେ ଏହି କାହାଣୀକୁ ସ୍ଥାନ ଦେଇଛନ୍ତି ପୋମ୍ପିଓ ।

ପୋମ୍ପିଓ ନିଜ ପୁସ୍ତକରେ ଲେଖିଛନ୍ତି, ଆମେରିକା-ଉତ୍ତର କୋରିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ପାଇଁ ଫେବୃଆରୀ ମାସ ୨୭-୨୮ରେ ସେ ହାନୋଇରେ ଥିଲେ । ତାଙ୍କର ଟିମ୍ ଏହି ସଙ୍କଟକୁ ଏଡ଼ାଇବା ପାଇଁ ସାରା ରାତି ନୂଆଦିଲ୍ଲୀ ଓ ଇସଲାମାବାଦ ସହ ଯୋଗଯୋଗରେ ରହିଥିଲା ।

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ପ୍ରତିନ୍ଦ୍ୱନ୍ଦ୍ୱିତା ୨୦୧୯ ଫେବୃଆରୀରେ ପରମାଣୁ ଆକ୍ରମଣ ପର୍ଯ୍ୟନ୍ତ ଚାଲିଯାଇଥିଲା । ସାରା ବିଶ୍ୱ ଏ ବାବଦରେ ସଠିକ୍ ଭାବେ ଅବଗତ ଥିବ ବୋଲି ମୁଁ ଭାବୁନାହିଁ । ସତ ଏହା ଯେ, ମୋତେ ମଧ୍ୟ ଏହାର ଉତ୍ତର ବିସ୍ତୃତ ଭାବେ ଜଣାନାହିଁ । ମାତ୍ର ଏହା ଖୁବ୍ ନିକଟରେ ଥିଲା ବୋଲି ପୋମ୍ପିଓ କହିଛନ୍ତି । ୨୦୧୯ ଫେବୃଆରୀରେ ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଟେନିଂ କ୍ୟାମ୍ପକୁ ଭାରତର ଯୁଦ୍ଧ ବିମାନ ଧ୍ୱଂସ କରିଦେଇଥିଲା । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ପ୍ରାଣବଳୀ ଦେବା ପରେ ଭାରତ ଏହି ପଦକ୍ଷେପ ନେଇଥିଲା ।

ଭିଏତନାମରେ ହାନୋଇ ଥିବା ସମୟରେ ସେ ରାତିକୁ ମୁଁ କେବେ ଭୁଲି ପାରିବି ନାହିଁ । କଶ୍ମୀରରେ ଇସଲାମିକ ଟେରର ଆଟାକ ଦ୍ୱାରା ୪୦ ଜଣ ଭାରତୀୟ ସହିଦ ହେବା ପରେ ଭାରତ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ବିରୋଧରେ ଏୟାର ଷ୍ଟ୍ରାଇକ କରିଥିଲା । ପାକିସ୍ତାନ ଭାରତର ଏକ ବିମାନକୁ ଗୁଳିକରି ଖସାଇଦେବା ସହିତ ଜଣେ ଭାରତୀୟ ପାଇଲଟ୍ଙ୍କୁ ବନ୍ଦୀ କରିନେଇଥିଲା । ଅନ୍ୟ କୌଣସି ଦେଶ ଆଗକୁ ଆସିନଥିଲେ । ଆମେ ଭାରତ-ପାକିସ୍ତାନ ସମସ୍ୟାର ସମାଧାନ ପାଇଁ ରାତି ସାରା ପ୍ରୟାସ ଜାରି ରଖିଥିଲୁ ବୋଲି ପୋମ୍ପିଓ କହିଛନ୍ତି ।

Get real time updates directly on you device, subscribe now.