fbpx

Social Impact Award; ‘ଆଶ୍ରା ଫାଉଣ୍ଡେସନ୍ ଓଡ଼ିଶା’କୁ ମିଳିଲା ବଡ଼ ସମ୍ମାନ: ସମାଜ ସେବାରେ ସାଜିଲା ଉଦାହରଣ

ଭୁବନେଶ୍ୱର: ସମାଜ ସେବା କ୍ଷେତ୍ରରେ ଏକ ନୂଆ ଦିଗଦର୍ଶନ ପାଲଟିଛି ‘ଆଶ୍ରା ଫାଉଣ୍ଡେସନ୍ ଓଡ଼ିଶା’ । ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ‘ଆଶ୍ରା’ ଆଜି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିଛି । ସଂଗଠନର ସମସ୍ତ ପ୍ରୟାସ ପାଇଁ We4You ତରଫରୁ ଆଶ୍ରାକୁ We4You 7th Social Impact Awards 2024 ପୁରସ୍କାର ସହ ସମ୍ମାନିତ କରାଯାଇଛି । ଆଶ୍ରା ସଂଗଠନର ଅବିରତ କାର୍ଯ୍ୟ ପାଇଁ We4You 7th Social Impact Awards 2024ରେ ଏହାର କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରାଯାଇଛି । ସଂଗଠନର କର୍ମକର୍ତ୍ତା ମାନଙ୍କ ସହ ପ୍ରତିଷ୍ଠାତା ଶ୍ରୀ ସନ୍ତୋଷ ପଟ୍ଟନାୟକ ଏବଂ ଶ୍ରୀନିବାସ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ନିସ୍ୱାର୍ଥପର ସେବା ଏବଂ ପ୍ରତିବଦ୍ଧତା ମାଧ୍ୟମରେ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ସଂଗଠନ ତଥା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି We4You । ସମାଜରେ ଏକ ସକରାତ୍ମକ ପ୍ରଭାବ ଆଣିବା ପାଇଁ ଉଦ୍ୟମ ଜାରି ରଖିଥିବା ଯୁବପିଢୀଙ୍କୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଏବଂ କର୍ମକର୍ତ୍ତା ଯୋଗ ଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟରେ ନିରନ୍ତର ବିକାଶ ପାଇଁ ଉଦ୍ୟମ ଜାରି ରଖିଛି ଆଶ୍ରା ଫାଉଣ୍ଡେସନ୍ ଓଡ଼ିଶା । ତେଣୁ We4You ତରଫରୁ ଆଶ୍ରାକୁ ଆଜି ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ଆଶ୍ରାର ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରାଯାଇଛି ।

ତେବେ ଏହା ପୁରସ୍କାର ନୁହେଁ, ଆଗକୁ ଆହୁରି ସକରାତ୍ମକ ଭାବରେ ଉଦ୍ୟମ ଜାରି ରକିବା ପାଇଁ ଏହ ଏକ ଉତ୍ସ ବୋଲି କହିଛନ୍ତି ‘ଆଶ୍ରା’ର ପ୍ରତିଷ୍ଠାତା ଶ୍ରୀ ପଟ୍ଟନାୟକ । ଏହା ଆମକୁ ବିଭିନ୍ନ ସମ୍ପ୍ରଦାୟର ବିକାଶ ପାଇଁ ମିଶନ୍ ଜାରି ରଖିବା ପାଇଁ ପ୍ରେରଣା ଯୋଗାଇଛି । ସେହିପରି ସହ-ପ୍ରତିଷ୍ଠାତା ଶ୍ରୀନିବାସ ସାହୁ ମଧ୍ୟ ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଆଗକୁ ଅଧିକ ସ୍ଥାନରେ ବିକାଶର ନୂଆ ଧାରା ଆରମ୍ଭ କରିବା ପାଇଁ ଚେଷ୍ଟା ଜାରି ରହିବ । ଏହାସହିତ ଦୀର୍ଘ ଦିନରୁ ସେବା ଯୋଗାଇ ଆସୁଥିବା ସମସ୍ତ ସମ୍ରଦାୟ ପ୍ରତି ଶ୍ରୀ ସାହୁ ଏହି ପୁରସ୍କାର ଉତ୍ସର୍ଗ କରିଛନ୍ତି । ତେବେ ଶେଷରେ ଏହି ପୁରସ୍କାର ସହ We4You ର ଏହି କାର୍ଯ୍ୟକ୍ରମ ଏବଂ ପ୍ରୟାସକୁ ଶେଷରେ ଧନ୍ୟବାଦ ଜଣାଇଛନ୍ତି ଆଶ୍ରାର କର୍ମକର୍ତ୍ତା ।

ସୂଚନା ଥାଉ କି, ଆଶ୍ରା ଫାଉଣ୍ଡେସନ୍ ଓଡ଼ିଶା ବିଶେଷ କରି ନ୍ୟୁଟ୍ରିସନ୍, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳାଙ୍କ ବିକାଶ ତଥା କ୍ଷେତ୍ରରେ ସେବା ଜାରି ରଖିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶକୁ ଲକ୍ଷ୍ୟ କରି ହଜାର ହଜାର ଜୀବନରେ ଖୁସି ଭରିଛି ‘ଆଶ୍ରା’ ।

Get real time updates directly on you device, subscribe now.