fbpx

(Video) କରମଣ୍ଡଳ ଦୁର୍ଘଟଣା: ‘ଏବେ ବି ଆମର ଦାୟିତ୍ୱ ସରିନି…’ କହୁ କହୁ କାନ୍ଦି ପକାଇଲେ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ଏବଂ ଏହାର ପରିଣାମ ସାରା ଦେଶର ଛାତି ଥରାଇ ଦେଇଛି । ମୃତାହତଙ୍କ ସଂଖ୍ୟା ଏତେ ଅଧିକ ଯେ, ସେମାନଙ୍କ ପରିବାର କଥା ଚିନ୍ତା କରି ସଭିଙ୍କ ଆଖିରେ ଲୁହ ଆସି ଯାଉଛି । ତେବେ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଲାଇନ ମରାମତି କାର୍ଯ୍ୟ ସରିବା ପରେ ଟ୍ରେନ ଗଡିବା ଆରମ୍ଭ ହୋଇଛି । କିନ୍ତୁ ମୃତାହତଙ୍କ କଥା ଭାବି କାନ୍ଦି ପକାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗାଡି ଗଡିଛି ସତ, କିନ୍ତୁ ଆମର ଦାୟିତ୍ୱ ଏବେ ବି ସରିନି ବୋଲି କହି ଗଣମାଧ୍ୟମ ସାମନାରେ ସେ କାନ୍ଦି ପକାଇଛନ୍ତି ।

କରମଣ୍ଡଳ ଦୁର୍ଘଟଣାରେ ୨୭୫ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେଉଁଥିରୁ ପ୍ରାୟ ୫୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମୃତାହତଙ୍କ ମଧ୍ୟରୁ ଏବେ ବି ଅନେକ ଲୋକଙ୍କ ପରିଚୟ ଚିହ୍ନଟ ହୋଇ ପାରିନାହିଁ । ସେମାନଙ୍କ ପରିବାରର କୌଣସି ସଦସ୍ୟ ମଧ୍ୟ ମୃତାହତଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ପ୍ରଶାସନ । ତେବେ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆଖିରେ ଲୁହ ଚାଲିଆସିଛି । ତାଙ୍କର ଏହି ଲୁହରେ ମୃତାହତଙ୍କ ପାଇଁ ଶୋକ ଏବଂ ପରିବାର ଲୋକଙ୍କ ପାଇଁ ଚିନ୍ତା ସ୍ପଷ୍ଟ ବାରି ହୋଇ ପଡିଛି ।

ସେ କାନ୍ଦି କାନ୍ଦି କହିଛନ୍ତି ଯେ, ଟ୍ରାକରେ ଟ୍ରେନ ଗଡିଛି ସତ, କିନ୍ତୁ ଆମର ଦାୟିତ୍ୱ ଏବେ ପର୍ଯ୍ୟନ୍ତ ସରିନି । ଦୁର୍ଘଟଣାରେ ନିଖୋଜ ଲୋକଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା ଏବେ ବାକି ରହିଛି । ଏହା ବର୍ତ୍ତମାନ ପାଇଁ ସବୁଠୁ ବଡ କାମ ବୋଲି କହି କାନ୍ଦି ପକାଇଛନ୍ତି ଅଶ୍ୱିନୀ ବୈଷ୍ଣବ । ତେବେ ଏହାପରେ ରେଳମନ୍ତ୍ରୀ କହିଛନ୍ତି ଯେ, ଏହି ଭୟଙ୍କର ଦୁର୍ଘଟଣାର କାରଣ ଚିହ୍ନଟ ୋଇସାରିଛି ଏବଂ ଅପରାଧୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ତେବେ ଏହି ଦୁର୍ଘଟଣା ଇଲେକ୍ଟ୍ରୋନିକ ଇଣ୍ଟଲକିଙ୍ଗ ସିଷ୍ଟମ ଏବଂ ପଏଣ୍ଟ ମେସିନ୍ ରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ହୋଇଛି । କିନ୍ତୁ ସିଗନାଲ ଦିଆଯାଇଥିଲା ପରେ କରମଣ୍ଡଳ ଏକ୍ସପ୍ରେସ ଅପ୍ ମେନ ଲାଇନକୁ ଚାଲିଯିବା ସହ ଠିଆ ହୋଇଥିବା ମାଲଗାଡିକୁ ଧକ୍କା ଦେଇଥିଲା । ଫଳରେ ଲାଇନଚ୍ୟୁତ ହେବା ସହ ଏଭଳି ଏକ ଦୁର୍ଘଟଣାର ଶିକାର ହୋଇଥିଲା । ସେପଟେ ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଏଥିରେ କ୍ଲିନଚିଟ ଦେଇ ନିର୍ଦ୍ଦୋଷ ବୋଲି କୁହାଯାଇଛି । ଗାଡି ଚଳାଇବା ପାଇଁ ଗ୍ରୀନ ସିଗନାଲ ପାଇଥିବା ବେଳେ ହ୍ରାଇଭର ଅନୁମାନିତ ସ୍ପିଡରେ କମ୍ ଗତିରେ ଗାଡି ଚଳାଇଥିବା କୁହାଯାଇଛି ।

Get real time updates directly on you device, subscribe now.