fbpx

Asian Champions Trophy; ଆଜି ଫାଇନାଲ ଫାଇଟ: ମୁହାଁମୁହିଁ ହେବେ ଡ୍ରାଗନ୍-ଟିମ ଇଣ୍ଡିଆ

ଓଡ଼ିଶା ଭାସ୍କର: ଏସିଆନ୍ ଚମ୍ପିଆନ୍ସ ଟ୍ରଫିର ଆଜି ଫାଇନାଲ ମୁକାବିଲା ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଆୟୋଜକ ଚୀନକୁ ଭେଟିବ ଟିମ ଇଣ୍ଡିଆ । ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି । ଉଭୟ ଦଳ ଏହି ମ୍ୟାଚରେ ପରସ୍ପରକୁ କଡ଼ା ଟକ୍କର ଦେବେ । ତେବେ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ଟିମ ଇଣ୍ଡିଆ ଟ୍ରଫି ହାତେଇ ଚମ୍ପିଆନ୍ ହେବା ପାଇଁ ନଜର ରଖିଛି । ପ୍ୟାରିସ ଅଲିମ୍ପିକ୍ସ ପରେ ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ରେକର୍ଡ ସୃଷ୍ଟି କରିବା ଚେଷ୍ଟାରେ ରହିଛି ଭାରତୀୟ ହକି ଦଳ ।

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ହାତେଇବା ପରେ ଟିମ ଇଣ୍ଡିଆରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଅଲିମ୍ପିକ୍ସ ପରେ ଚଳିତ ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଦମଦାର ପ୍ରର୍ଶନ ଜାରି ରଖିଛି ଭାରତ । ଲଗାତାର ବିଜୟ ସହ ଫାଇନାଲରେ ଦଳ ନିଜ ସ୍ଥାନ ପକ୍କା କରିବାରେ ସଫଳ ହୋଇଛି । ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା ହରମନ ସେନା । ଦକ୍ଷିଣ କୋରିଆ ବିପକ୍ଷ ଏହି ମ୍ୟାଚରେ ଭାରତ ୪-୧ରେ ଏକତରଫା ବିଜୟ ହାସଲ କରିବା ସହ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ପୁଣିଥରେ କମାଲ କରି ଅଧିନାୟକ ହରମନପ୍ରୀତ ସିଂହ ବିଜୟର ମହାନାୟକ ସାଜିଥିଲେ ।

ତେବେ ଆଜିର ଏହି ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ଆୟୋଜକ ଚୀନକୁ ଭେଟିବ । ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି ଚୀନ୍ । ଚୀନ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚରେ ୧-୧ରେ ବରାବର ରହିଥିବା ବେଳେ ମ୍ୟାଚର ସମୟ ଶେଷ ହୋଇଥିଲା । ତେଣୁ ଶେଷରେ ପେନାଲ୍ଟି ଶୁଟ୍ ଆଉଟ୍ ଜରିଆରେ ମ୍ୟାଚର ଫଳାଫଳ ପ୍ରକାଶ ପାଇଥିଲା । ପେନାଲ୍ଟି ଶୁଟ୍ ଆଉଟରେ ଚୀନ୍ ୨ଟି ଗୋଲ୍ ହାସଲ କରିଥିବା ବେଳେ ପାକିସ୍ତାନ ଖାଲିହାତରେ ରହିଥିଲା । ତେବେ ଭାରତ ଏବଂ ଚୀନ୍ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖରେ ଖେଳାଯିବ ।

Get real time updates directly on you device, subscribe now.