ଗାନ୍ଧୀନଗର: ଗୁଜରାଟର କଚ୍ଛ ଜିଲ୍ଲାରେ ଅବସ୍ଥିତ ମାଧାପାର ଗାଁ ଏସିଆର ସବୁଠୁ ଧନୀ ଗାଁର ମାନ୍ୟତା ପାଇଛି । ମାଧାପାରର ଲୋକଙ୍କ ପାଇଁ ଏ ଗାଁ ଆଜି ଧନୀ ମାନ୍ୟତା ପାଇଛି । ଏଠାରେ ମୁଖ୍ୟତଃ ପଟେଲ ସମୁଦାୟର ଲୋକେ ବସବାସ କରନ୍ତି । ଗାଁରେ ଜନସଂଖ୍ୟା କ୍ରମାଗତ ଭାବେ ବଢ଼ିଛି । ୨୦୧୧ରେ ଏଠାକାର ଜନସଂଖ୍ୟା ୧୭,୦୦୦ ଥିବାବେଳେ ବର୍ତ୍ତମାନ ଏହା ୩୨ ହଜାରରେ ପହଞ୍ଚିଛି । ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ଜଳ, ସ୍ୱଚ୍ଛତା ଏବଂ ସଡ଼କର କୌଣସି ଅସୁବିଧା ନାହିଁ । ଏଠାରେ ଉଭୟ ସରକାରୀ ଓ ଘରୋଇ ସ୍କୁଲ ରହିଥିବାବେଳେ ନାଈ ଓ ମନ୍ଦିର ମଧ୍ୟ ରହିଛି । ମାଧାପାରରେ ପାଖାପଖି ୨୦ ହଜାର ଘର ରହିଛି ।
ପାଖାପାଖି ୧୨୦୦ ପରିବାର ବିଦେଶରେ ରହୁଥିବା କୁହାଯାଏ । ମୁଖତଃ ଆଫ୍ରିକୀୟ ଦେଶରେ ଏମାନେ ବସବାସ କରୁଛନ୍ତି । ଏହାବ୍ୟତୀତ ମାଧାପାରର ବହୁ ଲୋକ ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ନୁ୍ୟଜିଲା. ଆମେରିକାରେ ମଧ୍ୟ ରହୁଛନ୍ତି । ବିଦେଶରେ ରହୁଥିବା ବ୍ୟକ୍ତିମାନେ ଅନେକ ସମୟରେ ଗାଁକୁ ଆର୍ଥ ପଠାନ୍ତି । ଯାହା ସାହାଯ୍ୟରେ ସେମାନେ ଗାଁର ଉନ୍ନତିକରଣ କରନ୍ତି । ଖାଲି ସେତିକି ନୁହେଁ ସେମାନେ ବିଦେଶ ବ୍ୟାଙ୍କ ବଦଳରେ ଗ୍ରାମରେ ଥିବା ବ୍ୟାଙ୍କରେ ଟଙ୍କା କାରବାର କରିବା ବେଶୀ ପସନ୍ଦ କରନ୍ତି । ଗାଁର ଲୋକମାନେ ବ୍ୟାଙ୍କରେ ପାଖାପାଖି ୭୦୦୦ କୋଟି ଟଙ୍କା ଫିକ୍ସ ଡିପୋଜିଟ୍ କରି ରଖିଛନ୍ତି । ଗ୍ରାମବାସୀଙ୍କ ଆର୍ଥିକ କାରବାରକୁ ଲକ୍ଷ୍ୟ କରି ଏଠାରେ ପାଖାପାଖି ୧୭ଟି ବ୍ୟାଙ୍କ ରହିଛି । ଅନେକ ବ୍ୟାଙ୍କ ମାଧାପାରରେ ନିଜସ୍ୱ ବ୍ରାଞ୍ଚ ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ଏଠାକାର ଏନଆରଆଇ ପରିବାର ପ୍ରତିବର୍ଷ ବ୍ୟାଙ୍କ ଓ ଡାକଘରେ କୋଟି କୋଟି ଟଙ୍କା ଜମା ରଖୁଛନ୍ତି । ଗାଁରେ ସବୁ ଘର ପକ୍କା ଏବଂ ରାସ୍ତା ସବୁବି ବେଶ୍ ଭଲ । ପ୍ରତି ଘରେ ଜଳ ସୁବିଧା ଯୋଗାଇବା ପାଇଁ ଉକ୍ରୃଷ୍ଟ ବ୍ୟବସ୍ଥା କରାଯାଇଛି । ଗାଁର ଉନ୍ନତି ପାଇଁ ଏଠାକାର ଲୋକେ ସବୁବେଳେ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ତ ମାଧାପାର ଏବେ ଏସିଆର ସବୁଠୁ ଧନୀ ଗାଁର ମାନ୍ୟତା ପାଇଛି ।