fbpx

ଦିଲ୍ଲୀର ଅଟୋ ଚାଳକଙ୍କୁ କଲ୍ କରି ପଚାରନ୍ତୁ, ପ୍ରଶଂସା ନକଲେ ଭୋଟ୍ ଦେବେନି: କେଜ୍ରିଓ୍ଵାଲ

Advertisement

ହରିଦ୍ଵାର : ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠୁ ରାଜନୈତିକ ଦଳଗୁଡିକ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି। ଏଥିରେ ପଛରେ ନାହିଁ ଆମ୍ ଆଦମୀ ପାର୍ଟି। ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରବିବାର ଉତ୍ତରାଖଣ୍ଡରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ୨୦୨୨ରେ ହେବାକୁ ଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ କେଜ୍ରିଓ୍ଵାଲ ରବିବାର ହରିଦ୍ଵାର ପହଞ୍ଚିଛନ୍ତି। ଏଠାରେ ସେ ଅଟୋଚାଳକଙ୍କ ସହିତ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଗୋଟିଏ ଅଟୋ ଚାଳକ ପ୍ରତି ଦିନ ଯାହା ଆୟ କରେ ସେଥିରୁ ହିଁ ଚଳେ। ଆଜି ଏଠାକୁ ଆସିଥିବାରୁ ଅଟୋଚାଳକ ଭାଇମାନେ ନିଜର ଗୋଟିଏ ଦିନ ସମୟ ମୋତେ ଦେଇଛନ୍ତି। ଦିଲ୍ଲୀରେ ଅଟୋଚାଳକ ଆମ ପ୍ରତି ଏତେ ଖୁସି କାହଁକି ? ୭-୮ ବର୍ଷ ପୂର୍ବେ ଯେବେ ଆମେ ରାଜନୀତିରେ ପାଦ ଦେଲୁ, ସେହି ସମୟରେ ଅଟୋଚାଳକଙ୍କ ସହିତ ଆମର ଯୋଗାଯୋଗ ହୋଇଥିଲା। ଦିଲ୍ଲୀରେ ଯେବେ ଆମର ସରକାର ଗଠନ ହେଲା ସେଥିରୁ ୭୦ ପ୍ରତିଶତ ଯୋଗଦାନ ଅଟୋଚାଳକଙ୍କର ହିଁ ରହିଛି ବୋଲି କେଜ୍ରିଓ୍ଵାଲ କହିଛନ୍ତି।
କେଜ୍ରିଓ୍ଵାଲ କହିଛନ୍ତି, ଦିଲ୍ଲୀରେ ସେହି ସମୟରେ ଅଟୋଚାଳକଙ୍କୁ ଲୋକେ ଘୃଣା ଚକ୍ଷୁରେ ଦେଖୁଥିଲେ, ସେମାନଙ୍କ ମାଫିଆ କହୁଥିଲେ। ଯେବେ ମୁଁ ଅଟୋ ଚାଳକଙ୍କ ସହ କଥା ହେଲି,କିଛି ଲୋକ କହିଥିଲେ, ଜନତା ଆପଣଙ୍କ ବିରୋଧରେ ହୋଇଯିବେ। ସେହି ସମୟରେ ଜଣେ ଅଟୋ ଚାଳକ ପୋଲିସ, ଆରଟିଓ ସମସ୍ତଙ୍କୁ ଟଙ୍କା ଦେଉଥିଲେ। ଆଇନ ଏତେ ଜଟିଳ ଥିଲା ଯେ, ଜଣେ ଅଟୋଚାଳକ ନିଷ୍ଠାର ସହ କାମ କରି ପାରିବ ନାହିଁ ଏହା ପରେ ମୁଁ ରାମଲୀଲା ମଇଦାନରେ ଅଟୋଚାଳକଙ୍କ ମିଟିଂ ଡକାଇଥିଲି। ମୁଁ ଦିଲ୍ଲୀବାସୀଙ୍କୁ ଅଟୋଚାଳକଙ୍କୁ ସ୍ନେହର ଦୃଷ୍ଟିରେ ଦେଖିବାକୁ ଅପିଲ୍ କରିଥିଲି। କ୍ଷମତାକୁ ଆସିବା ପରେ ପୂରା ସିଷ୍ଟମ ଠିକ୍ କଲି, ଭଡା ନିର୍ଦ୍ଧାରଣ ପାଇଁ କମିଟି ଗଠନ କଲି। ଏଥିରେ ଅଧିକାଂଶ ଅଟୋଚାଳକ ଥିଲେ ଏବଂ କିଛି ଅଫିସର ଥିଲେ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ଅଟୋ ଚାଳକ ମୋତେ ମେସେଜ୍ କରି ପାରିବେ
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଦିଲ୍ଲୀର ଅଟୋ ଚାଳକ ମୋତେ ନିଜର ଭାଇ ମାନୁଛନ୍ତି। ଦେଶର ଇତିହାସରେ ବୋଧହୁଏ ମୁଁ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖକୁ ଅଟୋଚାଳକ ସିଧାସଳଖ ମେସେଜ୍ କରି ପାରୁଛନ୍ତି। ଅଟୋ ଫିଟନେସ୍ ଚାର୍ଜ ଏବେ ଦିଲ୍ଲୀ ସରକାର ଦେଉଛନ୍ତି। ଏବେ ଆପଣଙ୍କୁ ଆରଟିଓର ଆବଶ୍ୟକତା ନାହିଁ। ଫିଟନେସ୍ ଛାଡି ବାକି ସବୁ କାମ ଅନଲାଇନ୍ କରି ପାରିବେ। କରୋନା କାଳରେ ସମସ୍ତଙ୍କ ରୋଜଗାର ପ୍ରଭାବିତ ହେଲା। ଆମ ସରକାର ସେହି ସମୟରେ ପ୍ରତ୍ୟେକ ଅଟୋ ଚାଳକଙ୍କ ଆକାଉଣ୍ଟକୁ ୫-୫ ହଜାର ଟଙ୍କା ପଠାଇଥିଲୁ। ପୁନର୍ବାର ୧.୮୦ ଲକ୍ଷ ଅଟୋ ଚାଳକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଏହି ବାବଦରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କେଜ୍ରିଓ୍ଵାଲ କହିଛନ୍ତି।
ଦିଲ୍ଲୀ ଅଟୋ ଚାଳକଙ୍କୁ କଲ୍ କରି ପଚାରି ପାରିବେ
କେଜ୍ରିଓ୍ଵାଲ କହିଛନ୍ତି, ଆପଣଙ୍କ ସହିତ କଥା ହେବା ପାଇଁ ବିମାନ ବନ୍ଦରରୁ ସିଧାସଳଖ ମୁଁ ଏଠାକୁ ଆସିଛି। ଆଜି ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ଅଟୋ ଚାଳକଙ୍କୁ ଭେଟିବାକୁ ଆସି ନାହାନ୍ତି। ଆଜି ମୁଁ ଆପଣଙ୍କ ସହିତ ନୂତନ ସଂପର୍କ ଆରମ୍ଭ କରିବାକୁ ଆସିଛି। ଆଲିଙ୍ଗନ କରି ଭାଇ କରିବାକୁ ଆସିଛି। ଆପଣଙ୍କ ସବୁ ସମସ୍ୟାର ଦାୟିତ୍ଵ ମୁଁ ନେବି, ଆଉ ସରକାର ଗଠନ କରିବାର ଦାୟିତ୍ଵ ଆପଣଙ୍କର। ଆମ ସରକାର ଗଠନ ହେଲେ ସର୍ବ ପ୍ରଥମେ ସିଷ୍ଟମ ବଦଳାଇବୁ। ଲାଞ୍ଚ ନେବା ଏବଂ ଦେବାକୁ ପଡିବ ନାହିଁ। ଦିଲ୍ଲୀର କୌଣସି ଅଟୋ ଚାଳକଙ୍କୁ କଲ୍ କରି ପଚାରି ଦେବେ, ଯଦି ସେମାନେ ପ୍ରଶଂସା ନକରିବେ ତେବେ ମୋତେ ଭୋଟ୍ ଦେବେ ନାହିଁ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

Get real time updates directly on you device, subscribe now.