fbpx
BSKY SKY
BSKY SKY

୨୦୨୩ରେ ସେମିଫାଇନାଲ ଖେଳିବ BJP! ୧୦ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ମୋଦୀଙ୍କ ପାଇଁ ଅସଲ ଅଗ୍ନି ପରୀକ୍ଷା

BSKY

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତିକି ନିକଟତର ହେଉଛି, ଦେଶର ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି । ନିକଟରେ ଘୋଷଣା ହୋଇଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନର ଫଳାଫଳ କିଛି ନୂଆ ସନ୍ଦେଶ ଦେଉଛି । ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ବିଜେପିର ୧୫ ବର୍ଷର ଏକଚାଟିଆ ରାଜୁତି ଉପରେ ରୋକ ଲଗାଇବାରେ ସକ୍ଷମ ହୋଇଛି ଆମ୍ ଆଦମୀ ପାର୍ଟି (ଆପ) ।

ସେହିପରି ଗୁଜରାଟରେ କ୍ରମାଗତ ୨୭ ବର୍ଷ ଧରି ଶାସନ କ୍ଷମତାରେ ରହି ଆସିଥିବା ବିଜେପି ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ରାଜ୍ୟବାସୀ । ହିମାଚଳ ପ୍ରଦେଶରେ ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଛି କଂଗ୍ରେସ । କିଛି ରାଜ୍ୟର ଉପନିର୍ବାଚନରେ ବିଜେପିକୁ ସଫଳତା ମିଳିଥିବା ବେଳେ ଆଉ କିଛି ରାଜ୍ୟରେ ପରାଜୟବରଣ କରିଛି । ତେବେ ଏହି ନିର୍ବାଚନ ପରେ ଏବେ ଆପ ଏକ ଜାତୀୟ ଦଳର ମାନ୍ୟତା ଲାଭ କରିଛି ।

ବୁଡ଼ି ଯାଉଥିବା କଂଗ୍ରେସ ପାଇଁ ହିମାଚଳ ପ୍ରଦେଶ ନୂଆ ଆଶ୍ୱାସନା ଆଣି ଦେଇଛି । ସାରା ଭାରତବର୍ଷରେ କେବଳ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ରହିଥିବା ବେଳେ ଛତିଶଗଡ଼ରେ ମେଣ୍ଟ ସରକାରରେ ସହଯୋଗୀ ରହିଛି । ତେବେ ଏହି ସମସ୍ତ ନିର୍ବାଚନ ବିଜେପି ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଛି । ଗୋଟିଏ ପଟେ ଆପ ବଢ଼ିବାରେ ଲାଗିଥିବା ବେଳେ ସୁପ୍ତ ଅବସ୍ଥାରେ ରହିଥିବା କଂଗ୍ରେସ ଆଗକୁ ଚେଇଁ ଉଠିବାକୁ ପୁଣି ପ୍ରୟାସ କରିବ ।

ଆସନ୍ତା ୨୦୨୩ରେ ଦଶଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ ୨୦୨୪ ଲୋକକସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଦଳ ପାଇଁ ସେମିଫାଇନାଲ ସଦୃଶ ହେବ । ସେଥିମଧ୍ୟରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନା ପରି ବଡ଼ ରାଜ୍ୟ ରହିଥିବା ବେଳେ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମ ପରି ପୂର୍ବୋତ୍ତର ରାଜ୍ୟ ରହିଛି । ଏହାବ୍ୟତୀତ ଜମ୍ମୁ କଶ୍ମୀରରେ ନିର୍ବାଚନ କରାଇବା ନେଇ ଲଗାତର ପ୍ରୟାସ ଜାରି ରହିଛି ।

ଏହି ୧୦ଟି ରାଜ୍ୟରେ ବିଜେପିର ପ୍ରଦର୍ଶନ କିପରି ରହିବ, ତାହା ନିଶ୍ଚିତ ଭାବେ ଭବିଷ୍ୟତର ଜନାଦେଶକୁ ପ୍ରଭାବିତ କରିବ । ଗତ ୨୦୧୮ରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ଼ ଝଟକା ଲାଗିଥିଲା । ତେବେ ଏହି ସମସ୍ତ ରାଜ୍ୟମାନଙ୍କରେ ଦଳ କିପରି ଉଚ୍ଚକୋଟୀର ପ୍ରଦର୍ଶନ କରି ଫାଇନାଲକୁ ଯିବ ସେଥିପାଇଁ ରଣନୀତି ଆରମ୍ଭ କରିଦେଇଛି ।

ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଫେରି କଂଗ୍ରେସ ଶାସନକୁ ଅନ୍ତ ଘଟାଇବାକୁ ପ୍ରୟୋସ କରିବ । ୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସ ବିଜେପିକୁ ମାତ୍ ଦେବାରେ ସକ୍ଷମ ହୋଇଥିଲା । ମାତ୍ର ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିବା ପରେ ରାଜ୍ୟରେ ଭାଜପା ସରକାର ଗଠନ ହୋଇଥିଲା । ସେହିପରି୨୦୧୮ରେ କର୍ଣ୍ଣାଟକର ୟେଦିୟୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ହେଁ ବହୁମତ ଅଭାବରୁ ସରକାର ଭୁଶୁଡ଼ି ପଡ଼ିଥିଲା । ପରେ କଂଗ୍ରେସ ଓ ଜେଡିଏସ୍ ସରକାର ଗଠନ କରିଥିଲେ । ପରେ ୨୦୧୯ରେ ରାଜନୈତିକ ପରିସ୍ଥିତି ବଦଳିବା ପରେ ରାଜ୍ୟରେ ବିଜେପି ସରକାର ଚାଲିଥିଲା ।

ତେଲେଙ୍ଗାନାରେ ବର୍ତ୍ତମାନ କେ. ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ କଟ୍ଟର ବିରୋଧୀ । ତେଣୁ ଏହି ରାଜ୍ୟରେ ବିପକ୍ଷ ଦଳଙ୍କୁ ନେଇ ଏକ ବଡ଼ ମୋର୍ଚ୍ଚା ଗଠନ କରିବା ପ୍ରୟାସରେ ରହିଛି ବିଜେପି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ତ୍ରିପୁରାରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଥିବା ବେଳେ ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ମଧ୍ୟ ବିଜେପି କ୍ଷମତା ହାତେଇବାକୁ ପ୍ରୟାସ କରିବ । ସେହିପରି ଜମ୍ମୁ କଶ୍ମୀରରେ ପ୍ରଥମେ ସରକାର ଗଠନ କରି ସାରା ଦେଶକୁ ଏକ ନୂଆ ସନ୍ଦେଶ ଦେବାକୁ ନିଶ୍ଚିତ ଭାବେ ପ୍ରୟାସ କରିବ ବିଜେପି ।

Get real time updates directly on you device, subscribe now.