OPSC: ସହକାରୀ ମତ୍ସ୍ୟ ଅଧିକାରୀ ପଦର ଡକ୍ୟୁମେଣ୍ଟ ଯାଞ୍ଚ ଓ ଇଣ୍ଟରଭ୍ୟୁ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହକାରୀ ମତ୍ସ୍ୟ ଅଧିକାରୀ ପଦର ଡକ୍ୟୁମେଣ୍ଟ ଯାଞ୍ଚ ଓ ଇଣ୍ଟରଭ୍ୟୁ ତାରିଖ ଘୋଷଣା କରାଯାଇଛି । ଗତ ଜୁଲାଇ ମାସ ୨୧ ତାରିଖରେ ଏହି ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୨୧ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନେ ଏବେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଚୟନ ହୋଇଛନ୍ତି । ଆସନ୍ତା ୧୨ ତାରିଖରେ କଟକ ସ୍ଥିତ ଡ. ପିକେ ପରିଜା ରୋଡ଼ରେ ଥିବା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟରେ ଏହି ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖ ସକାଳ ୮ଟା ବେଳେ ପ୍ରାର୍ଥୀମାନେ ରିପୋର୍ଟ କରିବେ । ଏହାପରେ ୮.୩୦ରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବ ଓ ୧୦.୩୦ରେ ସାକ୍ଷାତକାର ଟେଷ୍ଟ ନିଆଯିବ । ସେହିପରି ମଧ୍ୟାହ୍ନ ୧୨ଟା ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ନିଆଯିବ ।

ପ୍ରାର୍ଥୀମାନେ ନିଜ ନିଜର ସମସ୍ତ ଓରିଜିନାଲ ଡକ୍ୟୁମେଣ୍ଟ ସାଙ୍ଗକୁ ଗୋଟିଏ ସେଟ୍ ସେଲଫ ଆଟେଷ୍ଟେଡ କପି ନେଇ କରି ଯିବେ । ଏଥିସହିତ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ଫର୍ମର ହାର୍ଡ କପି, ୪ଟି ସଦ୍ୟ ପାସପୋର୍ଟ ସାଇଜ୍ ଫଟୋ, ଆଟେଷ୍ଟେସନ ଫର୍ମ, ବାଓ ଡାଟା ଫର୍ମ, ମାଟ୍ରିକ ପ୍ରମାଣପତ୍ର ଓ ମାର୍କଶିଟ, ଓଡ଼ିଆ ଟେଷ୍ଟ ସାର୍ଟିଫିକେଟ, ଯୁକ୍ତଦୁଇ ପ୍ରମାଣପତ୍ର ଓ ମାର୍କଶିଟ, ଡିଗ୍ରୀ ସାର୍ଟିଫିକେଟ ଓ ମାର୍କଶିଟ, ଫିସେରି ପଞ୍ଜିକରଣ ପ୍ରମାଣପତ୍ର ଆଦି ପ୍ରାର୍ଥୀମାନେ ସାଙ୍ଗରେ ନେଇ ଯିବାକୁ କୁହାଯାଇଛି ।