fbpx

ଇସ୍ରାଏଲ-ହମାସ ଯୁଦ୍ଧରେ ଅତିକମରେ ୪୦ ଜଣ ଶିଶୁଙ୍କୁ ହତ୍ୟା କରାଯାଇଛି: ରିପୋର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧର ଭୟାବହତା ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଆମେରିକା, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ଜର୍ମାନୀ ପରି କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ କତାର, ଇରାନ ଓ ଦକ୍ଷିଣ ଆଫ୍ରିକା ପରି ଆଉ କିଛି ଦେଶ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି ।

ତେବେ ଏହା ମଧ୍ୟରେ ଏକ ବର୍ବରୋଚିତ କାହାଣୀ ସାମ୍ନାକୁ ଆସିଛି । ଇସ୍ରାଏଲରେ ହମାସର ରକ୍ତମୁଖା ଆକ୍ରମଣ ଫଳରେ ଅତିକମରେ ୪୦ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ସଂଗଠନ ଏହି ଶିଶୁଙ୍କୁ ହତ୍ୟା କରିଥିବା ନେଇ ଇସ୍ରାଏଲର ଏକ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି । ଯୁଦ୍ଧ ସମୟରେ କିଛି ସୈନିକଙ୍କୁ ସଂରକ୍ଷିତ ସେବା ପାଇଁ ଡକା ଯାଇଥିଲା । ମାତ୍ର ସେମାନେ ଯେଉଁ ଖରାପ ଦୃଶ୍ୟ ଦେଖିଥିଲେ ତାହା କଳ୍ପନା ଠାରୁ ବାହାରେ ଥିଲା ।
କିଛି ଶିଶୁଙ୍କର ମୁଣ୍ଡ କଟାଯାଇଥିବା ବେଳେ ପୂରା ପରିବାର ସଦସ୍ୟଙ୍କ ଶବ ଶେଯରେ ପଡ଼ିରହିଥିଲା । ଅତିକମରେ ୪୦ ଜଣ ଶିଶୁ ଓ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ନେଇ କିଛି ସୈନିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅକ୍ଟୋବର ୭ ତାରିଖରେ ହମାସ ଅଚାନକ ଆକ୍ରମଣ କରିବା ଫଳରେ ଇସ୍ରାଏଲର ଅତିକମରେ ୯୦୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨୬୦୦ ଜଣ ଆହତ ହୋଇଥିଲେ ।

କେଫାର ଆଜ୍ଜା ନାମକ ଏକ ଫାର୍ମରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ପାଖାପାଖି ୭୦ ଜଣ ବାସିନ୍ଦା ପ୍ରାଣ ହରାଇଥିଲେ । ଅନ୍ତର୍ଜାତୀୟ ସ୍ତରର ସାମ୍ବାଦିକମାନଙ୍କଙ୍କୁ ନେଇ ସେହି ସ୍ଥାନକୁ ଇସ୍ରାଏଲ ପ୍ରତିରକ୍ଷା ଫୋର୍ସ (ଆଇଡିଏଫ) ଯାଇଥିଲା ବୋଲି ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟରେ କୁହାଯାଇଛି । ତେବେ ‘ଏହା ଏକ ଯୁଦ୍ଧ କି ଯୁଦ୍ଧ କ୍ଷେତ୍ର ନୁହେଁ, ଏହା ଏକ ନରସଂହାର । ଶିଶୁମାନେ ସେମାନଙ୍କର ପିତାମାତାଙ୍କ ସହିତ ସୁରକ୍ଷିତ ଭାବେ ରୁମରେ ରହିଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଥିଲେ । ତେଣୁ ଏହା ଏକ ଯୁଦ୍ଧ ନୁହେଁ । ଏପରି ଘଟଣା ମୁଁ ମୋ ଜୀବନରେ କେବେ ବି ଦେଖି ନଥିଲି । ନିକଟ ଇତିହାସରେ ଏଭଳି ଘଟଣା ଆମେ ଦେଖିନାହୁଁ’ ବୋଲି ଆଇଡିଏଫ ମେଜର ଜେନେରାଲ ଇତାଇ ଭରୁଭ କହିଥିଲେ ।

Get real time updates directly on you device, subscribe now.