fbpx

ରାତି ପାହିଲେ ରଜ : ବନରେ ଡାକୁ ନାହାଁନ୍ତି ଆଉ ଗଜ

ସମ୍ବଲପୁର : ଆଜି ଠାରୁ ରଜ ପାଇଁ ସଜ ହେଲେଣି ଝିଅ । କଥାରେ ଅଛି “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ା ରାତି ପାହିଲେ ପାଳନ ହେବ ପହିଲି ରଜ, କିନ୍ତୁ ବନରେ ଆଉ ଗଜ ବା ହାତୀଙ୍କ ଡାକ ଶୁଣିବାକୁ ମିଳୁନି । କାରଣ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି, ଯାହାଫଳରେ ଜୀବଜନ୍ତୁଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ଜଙ୍ଗଲରେ ହାତୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି, ତେଣୁ ସେମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି । ପରିବେଶ ପ୍ରଭାବରେ ହେଉ ଅବା ମଣିଷ ଦ୍ୱାରା ହେଉ ସେମାନେ ମୃତ୍ୟୁର ଶିକାର ହେଉଛନ୍ତି । ଏହିପରି ଏକ ଖବର ଆସିଛି ସମ୍ବଲପୁର ଜିଲ୍ଲାରୁ ।

ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ବସିଆପଡା ଅଞ୍ଚଳର ବିଟ୍ ଅଧୀନ ରପ୍ଟା ନିକଟରେ ମଙ୍ଗଳବାର ଦିନ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହାପରେ ସୂଚନା ପାଇ ବନ ବିଭାଗର ଏସିଏଫ୍ ତେଜରାଜ ନାୟକ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଦନ୍ତାହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ ।

ମୃତ ଦନ୍ତାକୁ ଉଦ୍ଧାର କରି ବନ ବିଭାଗର କର୍ମଚାରୀ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡି଼ବ ବୋଲି ପ୍ରକାଶ କରିଛନ୍ତି । ତେବେ ଏହି ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା କିଛି ନୁଆ ନୁହେଁ । ନିକଟସ୍ଥ ଅଞ୍ଚଳରୁ ପୂର୍ବରୁ ଏହିପରି ବିଭିନ୍ନ ସମୟରେ ଅନେକ ହାତୀର ମୃତଦେହ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.