fbpx

ହାୱଡା ପରେ ଏବେ ନଦିଆରେ ହଙ୍ଗାମା: ଲୋକାଲ ଟ୍ରେନ ଉପରେ ଆଟାକ

ନୂଆଦିଲ୍ଲୀ: ପେଗମ୍ବର ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଦେଶବ୍ୟାପୀ ବଢୁଛି ଦଙ୍ଗା । ଶୁକ୍ରବାର ଜୁମେର ନମାଜ ପରେ ଆରମ୍ଭ ହୋଇଥିବା ହଙ୍ଗାମା ଏବେ ବିଭିନ୍ନ ସ୍ଥାନକୁ ବ୍ୟାପିଗଲାଣି । ଗତକାଲି ହାୱଡାରେ ବିରୋଧ ପ୍ରଦର୍ଶନ ପରେ ଏବେ ନଦିଆ ଜିଲ୍ଲାରେ ମଧ୍ୟ ଏହି ଘଟଣାକୁ ନେଇ ବିରୋଧ ଦେଖାଦେଇଛି । ବିରୋଧ ପ୍ରଦର୍ଶନକାରୀମାନେ ଏକ ଲୋକାଲ ଟ୍ରେନକୁ ଟାର୍ଗେଟ କରିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ନଦିଆ ଜିଲ୍ଲାର ବେଥୁଆଡହରୀ ରେଲୱେ ଷ୍ଟେସନରେ ଏକ ଲୋକାଲ ଟ୍ରେନ ଉପରେ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି । ନଦିଆ ଜିଲ୍ଲାରେ ବିରୋଧ ପ୍ରଦର୍ଶନକାରୀମାନେ ରାସ୍ତା ଜାମ କରୁଥିବାରୁ ସେମାନଙ୍କୁ ପିଛା କରିଥିଲା ପୋଲିସ । ଏହି ସମୟରେ ସେମାନେ ଦୌଡି ଷ୍ଟେସନ ଭିତରକୁ ପଶିଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ପ୍ଲାଟଫର୍ମ ଉପରେ ନିର୍ଦ୍ଧୁମ ପଥରମାଡ କରିଥିବା ସୂଚନା ମିଳିଛି । ବିକ୍ଷୋଭ ପ୍ରଦର୍ଶନକାରୀ ମାନଙ୍କର ଏପରି କାର୍ଯ୍ୟକଳାପ ଯୋଗୁଁ ଲାଲଗୋଲା ରେଲୱେ ଲାଇନର ରେଳସେବା ବାଧାପ୍ରାପ୍ତ ହୋଇଛି ।

ଆକ୍ରମଣର ଖବର ପାଇ ଜିଆରପି, ଆରପିଏଫ ସମେତ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସେତେବେଳକୁ ବିରୋଧ ପ୍ରଦର୍ଶନକାରୀମାନେ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ରାଜ୍ୟବ୍ୟାପୀ ହେଉଥିବା ଦଙ୍ଗା ଇତ୍ୟାଦିକୁ ନଜରରେ ରକି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ହାୱଡାରେ ଏଭଳି ପରିସ୍ଥିତି ଜଟିଳ ହେବାରୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରିଛି ପୋଲିସ ।

Get real time updates directly on you device, subscribe now.