ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ରାଜ୍ୟ ସରକାର ତଥା ବିଜେପି ତୀବ୍ର ନିନ୍ଦା କରିଛି, ଏବଂ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି।

ସୋମବାର ମଧ୍ୟାହ୍ନରେ ବିଏମ୍‌ସି କାର୍ଯ୍ୟାଳୟରେ ଜନସୁଣାଣି ବୈଠକ ଚାଲିଥିବା ବେଳେ କିଛି ବ୍ୟକ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଚାମ୍ବରରେ ଅନଧିକୃତ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ସାହୁଙ୍କୁ ଘୋଷାଡ଼ି ବାହାରକୁ ଆଣି ମାଡ଼ମାରିବା ସହ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ରାଜଧାନୀରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆମ ସରକାର ଓ ବିଜେପିର ନୀତି ଏବଂ ଆଦର୍ଶ ବିରୋଧୀ ଘଟଣା। ଦଳ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସାଙ୍ଗଠନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

“ଭୁବନେଶ୍ୱର କମିଶନରେଟ୍‌ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି, ଯେଉଁମାନେ ହେଉଛନ୍ତି ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ। ଖାରବେଳନଗର ଥାନାରେ ଏତଲା ରୁଜୁ ହେବା ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି।

ଏହି ଘଟଣାକୁ ବିଜୁ ଜନତା ଦଳ (ବିଜେଡି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରି କହିଛନ୍ତି, “ରାଜଧାନୀ ଭୁବନେଶ୍ୱରରେ ଜଣେ ସିନିୟର ଅଧିକାରୀଙ୍କୁ ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି।” ସେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।