ପ୍ରଣବଙ୍କ ଉପରେ ଆକ୍ରମଣ,”ନବୀନଙ୍କ ଟ୍ୱିଟ୍ ହାସ୍ୟାସ୍ପଦ”
"ଦଳର ହାଇକମାଣ୍ଡଙ୍କୁ କେହି ମାନିବା ଅବସ୍ଥାରେ ନାହାନ୍ତି। ବିଜେଡି ଏବେ ନିଶ୍ଚିହ୍ନ ହେବାକୁ ଯାଉଛି"।
ଭୁବନେଶ୍ୱର: ଗତକାଲିର ଘଟଣା। ଧର୍ମଶାଳାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣା। ଏହ ପ୍ରସଙ୍ଗରେ ନବୀନ ଟ୍ୱିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ଅନ୍ୟପଟେ ନବୀନଙ୍କ ଟ୍ୱିଟକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ।
ନବୀନ ନିଜେ ଟ୍ୱିଟ୍ କରି ଲେଖିଛନ୍ତି, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।
ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି।
ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ନବୀନ। ଆଉ ଅନ୍ୟପଟେ ନବୀନଙ୍କ ଟ୍ୱିଟ୍ ପରେ ପାଲଟା ଆକ୍ରମଣ କରିଛନ୍ତି ବିଜେପି ନେତା ତଥା ଶିଳ୍ପମନ୍ତ୍ରୀ।
ସମ୍ପଦ ସ୍ୱାଇଁ କହିଛନ୍ତି ନବୀନଙ୍କ ଟ୍ୱିଟ ଅତି ହାସ୍ୟାସ୍ପଦ କଥା। କାରଣ ‘ଇତିଶ୍ରୀ’ ବେବିନା ଘଟଣା ବେଳେ କେଉଁଠିଥିଲେ ନବୀନ। ଧର୍ମଶାଳାରେ ବିଜେଡି କର୍ମୀ ନିଜ ଦଳର ନେତାଙ୍କୁ ଆକ୍ରମଣ କରିଛନ୍ତି।
ନବୀନ ବାବୁ ବୁଝିବା ଦରକାର ତାଙ୍କ ଦଳରେ ଆଉ ଶୃଙ୍ଖଳା ନାହିଁ। ଦଳର ହାଇକମାଣ୍ଡଙ୍କୁ କେହି ମାନିବା ଅବସ୍ଥାରେ ନାହାନ୍ତି। ବିଜେଡି ଏବେ ନିଶ୍ଚିହ୍ନ ହେବାକୁ ଯାଉଛି ବୋଲି କହିଛନ୍ତି ସମ୍ପଦ ସ୍ୱାଇଁ।