ଓଡ଼ିଶା ଭାସ୍କର: ଔଷଧୀୟ ଗୁଣରେ ଭରପୁର ହଳଦୀ । ସେହିପରି କ୍ଷୀରକୁ ମଧ୍ୟ ସମ୍ପୂର୍ଣ୍ଣ ଖାଦ୍ୟ(complete food) ଭାବେ ବିବେଚିତ କରାଯାଇଛି । କ୍ୟାଲସିୟମ, ପ୍ରୋଟିନ୍, ଭିଟାମିନ୍ ‘ଡି’, ପୋଟାସିୟମ, ଫସଫରସ୍, ମ୍ୟାଗନେସିୟମ, ଜିଙ୍କ୍ ଓ ଅନ୍ୟାନ୍ୟ ପୋଷକ ତତ୍ୱ ରହିଛି । କ୍ଷୀର ଦାନ୍ତ ଓ ହାଡ଼କୁ ମଜବୁତ ରଖିବାରେ ସହାୟକ ହୋଇଥାଏ । କ୍ଷୀରରେ ହଳଦୀ ମିଶାଇ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଶରୀରର ରୋକପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଥଣ୍ଡା ଦୂର ହୋଇଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ହଳଦୀ କ୍ଷୀର ପିଇବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ବିଶେଷ କରି ଶୀତ ଦିନରେ ହଳଦୀ କ୍ଷୀର ପିଇବା ଦ୍ୱାରା ଶରୀର ଉଷ୍ମ ରହିଥାଏ । ଆୟୁର୍ବେଦରେ ମଧ୍ୟ ହଳଦୀ ପତ୍ର, ଫୁଲ ଓ ମୂଳକୁ ବିଭିନ୍ନ ଔଷଧରେ ବ୍ୟବହାର କରାଯାଇଥାଏ । ତେବେ ଆସନ୍ତୁ ଜାଣିବେ କେଉଁ ବ୍ୟକ୍ତିଙ୍କୁ ହଳଦୀ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ ।
୧. ପାକସ୍ଥଳୀ ସମସ୍ୟା: ଯେଉଁ ବ୍ୟକ୍ତିଙ୍କୁ ପାକସ୍ଥଳୀ(gastrointestinal) ସମସ୍ୟା ରହିଛି ସେମାନେ ହଳଦୀ କ୍ଷୀର ପିଇବା ଉଚିତ ନୁହେଁ । ଫଳରେ ଗ୍ୟାସ୍, ଫୁଲା, ଝାଡ଼ା, ପେଟ ଯନ୍ତ୍ରଣା, ବାନ୍ତି ଭଳି ସ୍ୱାସ୍ଥ୍ୟ ସମସ୍ୟ ଦେଖାଦେଇଥାଏ ।
୨. ଆଲର୍ଜୀ: ହଳଦୀ କ୍ଷୀର ପିଇଲେ କିଛି ବ୍ୟକ୍ତିଙ୍କ ଠାରେ ରାସେସ୍, କୁଣ୍ଡିଆ, ନିଃଶ୍ୱାସ ନେବାରେ ଅସୁବିଧା ଭଳି ଆଲର୍ଜୀ ସମସ୍ୟା ଦେଖାଦେଇଥାଏ ।
୩. ଔଷଧର ସେବନ: ଔଷଧ ସେବନ କରୁଥିଲେ ହଳଦୀ କ୍ଷୀର ସେବନ କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ପାଶ୍ୱର୍ପ୍ରତିକ୍ରିୟାର କାରଣ ହୋଇପାରେ । ଏଥିମଧ୍ୟରେ ମଧୁମେହ ଏବଂ କେମୋଥେରାପି ଔଷଧ ସାମିଲ ରହିଛି । ହଳଦୀ କିଛି ଔଷଧ ସହ ରିଆକ୍ଟ କରି ରକ୍ତକୁ ପତଳା କରିପାରେ । ତେଣୁ ଏଭଳି ସ୍ଥିତିରେ ହଳଦୀ କ୍ଷୀର ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ । ବ୍ଲଡ୍ ସୁଗାର ରୋଗୀଙ୍କୁ ମଧ୍ୟ ହଳଦୀ କ୍ଷୀର ସେବନ କରିବା ଠାରୁ ଦୂରେଇ ରହିବା ଉଚିତ ।
୪. ଗାଲ୍ ବ୍ଲାଡର ସମସ୍ୟା: ଯେଉଁ ବ୍ୟକ୍ତିଙ୍କୁ ଗାଲ୍ ବ୍ଲାଡର(ପିତ୍ତାଶୟ) ସମସ୍ୟା ରହିଛି ସେମାନଙ୍କୁ ହଳଦୀ କ୍ଷୀର ପିଇବା ଉଚିତ ନୁହେଁ । ଏହା ପିତ୍ତ ଉତ୍ପଦନକୁ ବୃଦ୍ଧି କରିଥାଏ ।
୫. ଗର୍ଭାବସ୍ଥା: ମହିଳାଙ୍କୁ ବିଶେଷକରି ଗର୍ଭାବସ୍ଥା ସମୟରେ ହଳଦୀ କ୍ଷୀରର ସେବନ କରିବା ଉଚିତ ନୁହେଁ । କାରଣ ହଳଦୀରେ ଥିବା କିଛି ଉପାଦାନ ଗର୍ଭାଶୟକୁ ସଙ୍କୁଚିତ କରିପାରେ । ଏହା ସହ ଗର୍ଭସ୍ଥ ଶିଶୁର ବିକାଶରେ ବାଧା ଦେଖାଦେଇଥାଏ । ତେଣୁ ହଳଦୀ କ୍ଷୀର ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୬. ରକ୍ତହୀନତା: ଅତ୍ୟଧିକ ହଳଦୀ କ୍ଷୀର ସେବନ କରିବା ଦ୍ୱାରା ରକ୍ତହୀନତା ସମସ୍ୟା ଦେଖାଦେଇଥାଏ । ହଳଦୀ, ଶରୀରର ଲୌହ ଅବଶୋଷଣ କ୍ଷମତାରେ ବାଧା ସୃଷ୍ଟି କରିଥାଏ । ଫଳରେ ହେମୋଗ୍ଲୋବିନ୍ ସ୍ତରରେ ବୃଦ୍ଧି ହୋଇନଥାଏ ।