ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଟଳି ପଡିଲେ ହମାସ ସଂଗଠନର ଆଉ ଜଣେ କମାଣ୍ଡର
ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା ହମାସ। ଏହାପରେ ପ୍ରତିଆକ୍ରମଣରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ହମାସ ଉପରେ ଘନ ଘନ ଆକ୍ରମଣ କରିବାରେ ଲାଗିଛି। ଏହି ଯୁଦ୍ଧରେ ଗାଜା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଅନେକ ଜଣଙ୍କ ଜୀବନ ଚାଲିଗଲାଣି । ଯୁଦ୍ଧରେ ଦୁଇପକ୍ଷର ମୃତ୍ୟୁସଂଖ୍ୟା ୩,୨୦୦ରେ ପହଞ୍ଚିଥିବା ବେଳେ ଗାଜା ଷ୍ଟ୍ରିପରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଯୁଦ୍ଧ କାରଣରୁ ପାଲେଷ୍ଟାଇନର ୪ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି । ଅନ୍ୟପଟେ ଇସ୍ରାଏଲର ଅନେକ ଲୋକ ଏବେ ବି ହମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି ।
ତେବେ ଏସବୁ ଭିତରେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ସାମରିକ ୱିଙ୍ଗ ‘କାସାମ ବ୍ରିଗେଡ’ କହିଛନ୍ତି, ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ହମାସର ଜଣେ ଟପ୍ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଏଥିରେ ଆୟମାନ ନୋଫାଲ ନାମକ ଜଣେ ଟପ୍ କମାଣ୍ଡରଙ୍କ ଦେହାନ୍ତ ଘଟିଥିବା ସେ ସୂଚନା ଦେଇଛନ୍ତି । ଆୟମାନ ଆମ ପାଇଁ ଜଣେ ସବୁଠାରୁ କୁଖ୍ୟାତ ହମାସ ଆତଙ୍କବାଦୀ ଥିଲେ । ଗାଜା ଅଞ୍ଚଳରେ ଇସ୍ରାଏଲର ବିସ୍ଫୋରଣ ସମୟରେ ସେ ନିହତ ହୋଇଛନ୍ତି ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ଗାଜାକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ଯାଇ ଇସ୍ରାଏଲ ଏବେ ଆକ୍ରମଣର ଚରମ ସୀମାରେ ପହଞ୍ଚିଛି । ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ଗୋଟିଏ ପଟେ ଇସ୍ରାଏଲ ଆକ୍ରମଣକୁ ଆହୁରି ଶାଣିତ କରୁଥିବା ବେଳେ ଅନ୍ୟପଟେ ହମାସ ହଜାର ହଜାର ନୀରିହ ଲୋକଙ୍କ ହତ୍ୟା କରିବାରେ ଲାଗିଛି । ସେପଟେ ଇସ୍ରାଏଲ ଆକ୍ରମଣରେ ସୋମବାର ହମାସର ଜଣେ କମାଣ୍ଡରଙ୍କ ମୃତ୍ୟୁ ପରେ ଆଜି ଆଉ ଜଣେ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଏହି କମାଣ୍ଡର ନୋଫାଲ, ଆବୁ ମହମ୍ମଦ ନାମରେ ଜଣାଶୁଣା ଥିବା ବେଳେ ଆଜି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ମୃତ୍ୟୁବରଣ କରିଛି।