fbpx

ଦୀପୋତ୍ସବ: ଆଜି ସାଢେ ସାତ ଲକ୍ଷ ଦୀପରେ ଝଲସି ଉଠିବ ଅଯୋଧ୍ୟା, ୧୨ ହଜାର ସ୍ୱେଚ୍ଛାସେବୀ କରିବେ ବିଶ୍ୱ ରେକର୍ଡ

ଅଯୋଧ୍ୟା : ଲଙ୍କା ବିଜୟ ଓ ବନବାସ ପରେ ଭଗବାନ ରାମଙ୍କ ଅଯୋଧ୍ୟା ଆଗମନ ଖୁସିରେ ରାମନଗରୀ ଆଜି ଦୀପରେ ଝଲସି ଉଠିବ । ଦୀପୋତ୍ସବରେ ବୁଧବାର ଅଯୋଧ୍ୟାର ସରୟୁ ନଦୀତଟରେ ସାଢେ ସାତ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହେବ। ଏହି ଭବ୍ୟ ଦୀପୋତ୍ସବରେ ୩୬ ହଜାର ଲିଟର ତେଲ ବ୍ୟବହାର ହେବ । ୧୨ ହଜାର ସ୍ୱେଚ୍ଛାସେବୀ ଦୀପ ଜଳାଇ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିବେ, ଯାହାକୁ ଆଜି ଦୁନିଆ କୋଣ ଅନୁକୋଣରୁ ଦେଖିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ୨୦୧୭ରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେହି ବର୍ଷ ପ୍ରାୟ ୧.୮୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ୨୦୧୮ରେ ଦୀପ ସଂଖ୍ୟା ବଢି ୩,୦୧,୧୫୨ରେ ପହଞ୍ଚିଥିଲା । ଏହି ପରି ୨୦୧୯ରେ ସଂଖ୍ୟା ବଢି ୫.୫୦ ଲକ୍ଷକୁ ବୃଦ୍ଧି ଘଟିଥିଲା । ୨୦୨୦ରେ ୫.୫୧ ଲକ୍ଷ ଦୀପ ଜଳାଯାଇଥିଲା । ଆଉ ଚଳିତ ବର୍ଷ ଅର୍ଥାତ ଆଜି ଅଯୋଧ୍ୟା ୭.୫୦ ଲକ୍ଷ ଦୀପରେ ଝଲସି ଉଠିବ । ଏଥିରେ ନୂତନ ରେକର୍ଡ ମଧ୍ୟ ସ୍ଥାପନ ହେବ ।

 ଚାଲିଛି ବଡ ଧରଣର ପ୍ରସ୍ତୁତି

ସାଢେ ସାତ ଲକ୍ଷ ଦୀପ ଜଳାଇ ନିଜର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବା ଏବଂ ନୂତନ କୀର୍ତ୍ତିମାନ ସ୍ଥାପନ କରିବା ପାଇଁ ଅଯୋଧ୍ୟା ପ୍ରସ୍ତୁତ ହୋଇ ଯାଇଛି । ଏହି କାମ ପାଇଁ ଅବଧ ବିଶ୍ୱ ବିଦ୍ୟାଳୟର ପୂରା ଟିମ୍ ଗତ ଦୁଇ ଦିନ ଧରି କଠୋର ପରିଶ୍ରମ ଚଳାଇଛନ୍ତି । ଏହି କ୍ରମରେ ରାମପେଡିର ୩୨ ଘାଟରେ ମଙ୍ଗଳବାର ନିର୍ଦ୍ଧାରିତ ସଂଖ୍ୟା ଅନୁଯାୟୀ ନଅ ଲକ୍ଷ ଦୀପ ବିଧିପୂର୍ବକ ବିଛା ଯାଇଛି । ଦୀପୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନିଆ, ଭିଏତନାମ ଓ ତ୍ରିନିଦାନ-ଟୋବାଗୋର ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ରହିବେ ।

ଅବଧ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ୧୨ ହଜାର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଘାଟ ସମନ୍ୱୟକ ଏବଂ ପ୍ରଭାରୀଙ୍କ ମାର୍ଗଦର୍ଶନରେ ମଙ୍ଗଳବାର ଦିନ ହିଁ ଲକ୍ଷ୍ୟ ମୁତାବକ ଦୀପ ବିଛାଇବା କାମ ପୂରା କରିଛନ୍ତି । ଏହି ଦୀପଗୁଡିକରେ ବୁଧବାର ତେଲ ଦିଆଯାଇ ପ୍ରଜ୍ଜ୍ୱଳିତ କରାଯିବ । ଏଥର ଦୀପୋତ୍ସବରେ ୩୨ ଘାଟରେ ପାଖାପାଖି ୨୦୦ ସମନ୍ୱୟକ, ୩୨ ପର୍ଯ୍ୟବେକ୍ଷକ ଏବଂ ୩୨ ପ୍ରଭାରୀ ନିଯୁକ୍ତ କରାଯାଇଛି । ଦୀପୋତ୍ସବରେ ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ୭୫ ଦିନ ଜଳାଇବାର ଲକ୍ଷ୍ୟ ଦିଆଯାଇଛି ।

 

Get real time updates directly on you device, subscribe now.