fbpx
BSKY SKY
BSKY SKY

ମାଆ-ଝିଅଙ୍କୁ ଛୁରାମାଡ଼: ରକ୍ତାକ୍ତ ଆକ୍ରମଣ ପଛରେ ଅର୍ଥ ନା ପ୍ରେମ?

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣା ଏବେ ରହସ୍ୟ ଘେରରେ ରହିଛି । ଘଟଣାସ୍ଥଳରୁ ପୋଲିସ ବନ୍ଧୁକ ଓ ଛୁରୀ ଜବତ କରିଥିଲା । ପ୍ରଥମରୁ ଏହା ଏକ ପ୍ରେମ ଘଟଣା ଉପରେ ଆଧାରିତ ବୋଲି ପୋଲିସ ସନ୍ଦେହ କରୁଥିଲା । ରୂପେଶ ପଣ୍ଡା ଓ ସୁରେଶ ମିଶ୍ରଙ୍କ ଘର ପାଖାପାଖି ହୋଇଥିବାରୁ ଏହା ବେଶୀ ସନ୍ଦେହ ଘେରକୁ ଟାଣୁଛି । ସୁରେଶଙ୍କ ଝିଅ ଅନନ୍ୟା କରୋନା ପାଇଁ ବେଙ୍ଗାଲୁରୁରୁ ଆସି ନିଜ ଘରେ ରହୁଥିଲେ । ଏହି ସମୟ ଭିତରେ ହୁଏତ ରୂପେଶ ଓ ଅନନ୍ୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ କୌଣସି ତିକ୍ତତା ସୃଷ୍ଟି ହୋଇଥାଇପାରେ । ରୂପେଶଙ୍କ ଆକ୍ରମଣ ଘଟଣା ଏକ ପ୍ରତିଶୋଧାତ୍ମକ କାର୍ଯ୍ୟ ଭଳି ଦୃଷ୍ଟିଗୋଚର ହେଉଥିବାରୁ ଏହା ପଛରେ କିଛି ସିକ୍ରେଟ୍ ରହିଥିବା ସମ୍ଭାବନା ରହିଛି । ତେବେ ଦୁହିଁଙ୍କ କଲ୍ ରେକର୍ଡ ଯାଞ୍ଚ କଲେ ସବୁ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

ତେବେ ଘଟଣା ଦିନ ରୂପେଶ ମହିଳାଙ୍କର ଏକ ମ୍ୟାକ୍ସି ପିନ୍ଧି ସୁରେଶଙ୍କ ଘରେ ପଶିଥିବାରୁ ତାହା ଅଧିକ ସନ୍ଦେହ ଘେରକୁ ଟାଣୁଛି । ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ପାଖପଡ଼ୋଶୀଙ୍କୁ ପଚରାଉଚରା କରୁଛି । ଅନ୍ୟପକ୍ଷରେ ରୂପେଶ ବାରମ୍ବାର ବୟାନ ବଦଳାଉଥିବାରୁ ତାହା ପୋଲିସକୁ ଚକିତ କରିଦେଇଛି । ଆଉ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ରୂପେଶ ଏକ ନୂଆ ଘର ତିଆରି କରିବାକୁ ଯାଇ ଲକ୍ଷାଧିକ ଟଙ୍କା ଲୋନ କରିଥିଲେ । ଇତିମଧ୍ୟରେ ତାଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା । ଫଳରେ ସେ ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ମିଶ୍ରଙ୍କ ପାଖରେ ଟଙ୍କା ଥିବାର ଅନୁମାନ କରି ଏହି କାଣ୍ଡ ଭିଆଇଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ମାଆ-ଝିଅଙ୍କୁ ଆକ୍ରମଣ ହେବା ସମୟରେ ଦୁହେଁ ସାହସର ସହ ମୁକାବିଲା କରିଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.