ବାଲିଯାତ୍ରା ପଡ଼ିଆରୁ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ, ଜେପି ନଡ୍ଡା କରିବେ ଲୋକାର୍ପଣ
ଆୟୁଷ୍ମାନ ଭାରତ ଯୋଜନାରେ 3.5 କୋଟି ହିତାଧିକାରୀ 29 ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟସେବା ପାଇବେ ।
ଭୁବନେଶ୍ବର: ଆଜି ଓଡ଼ିଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହାସହିତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ ।
କଟକର ବାଲିଯାତ୍ରା ପଡିଆରେ ଏନେଇ ଆୟୋଜନ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଯୋଗା ଦେଇ ଏହି ଯୋଜନାକୁ ଲୋକାର୍ପଣ କରିବେ । ରାଜ୍ୟର ସାଢେ 3 କୋଟି ଲୋକ ଏହି ମାଗଣା ସ୍ବାସ୍ଥ୍ୟସେବା ପାଇବେ ।
ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେବେ ।
ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ଏହି ତିନୋଟି ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାମାନଙ୍କରେ ରାଜ୍ୟରେ 1.3 କୋଟି ପରିବାରର ସାଢେ 3 କୋଟି ଲୋକ ଯୋଡି ହେବେ ।
70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କାଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ଆଜି ପାଇଁ 12 ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏଥିରେ ରାଜ୍ୟ ସରକାରଙ୍କ 12 ମନ୍ତ୍ରୀ ଯୋଗ ଦେବେ । ତେବେ ପ୍ରତି ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।