fbpx

ବ୍ୟାଡମିଣ୍ଟନରେ ସୁହାସ ୟଥିରାଜଙ୍କ ରାଜ, ଦିବ୍ୟାଙ୍ଗ ସାଜିଲେ ବିଶ୍ୱ ବିଜୟୀ

ନୂଆଦିଲ୍ଲୀ: ଭାରତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟଥିରାଜ ବିଡବ୍ଲୁଏଫ ପାରା ବ୍ୟାଡମିଣ୍ଟନ ର‌୍ୟାଙ୍କିଙ୍ଗରେ ଫ୍ରାନ୍ସିସି ଆଇକନ ଲୁକାସ ମାଜୁରକୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ୪୦ ବର୍ଷୀୟ ୟଥିରାଜ ଟୋକିଓ ପାରା ଅଲମ୍ପିକ୍ସରେ ଏସଏଲ -୪ ବର୍ଗରେ ରଜତ ପଦକ କବ୍‌ଜା କରିଥିଲେ । ପାରା ଅଲମ୍ପିକ୍ସ ଫାଇନାଲରେ ମଧ୍ୟ ସେ ମାଜୁରଙ୍କଠୁ ପରାସ୍ତ ହୋଇଥିଲେ । ନିଜର ଅସାଧାରଣ କୌଶଳ ଓ ସମର୍ପଣ ଯୋଗୁଁ ସେ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ବିଜେତା ବନି ପାରିଛନ୍ତି । ମୋଟ ୬୦,୫୨୭ ଅଙ୍କ ସହ ସେ ନିଜ ଚିର ପ୍ରତିଦ୍ୱନ୍ଦ୍ୱୀ ମାଜୁରଙ୍କୁ ବହୁ ପଛରେ ପକାଇ ପାରିଛନ୍ତି । ମାଜୁର ମୋଟ ୫୮,୯୫୩ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସୁହାସ ନିଜର ଏହି ସଫଳତାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଉତ୍ତରପ୍ରଦେଶର ଏହି ଆଇଏଏସ ଅଫିସର ଚଳିତବର୍ଷ ଫେବୃଆରୀରେ ଇଣ୍ଡୋନେସିଆର ଫ୍ରେଡି ସେତିୟାବାନଙ୍କୁ ହରାଇ ବିଶ୍ୱ ଚାମ୍ପିୟନସିଫ ତାଜ କବ୍‌ଜା କରିଥିଲେ ।

ପାରା ବ୍ୟାଡମିଣ୍ଟନରେ ଏସଏଲ – ବର୍ଗ ସେହି ଆଥଲେଟିକମାନଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଛି ଯେଉଁମାନଙ୍କ ଶରୀରର ନିମ୍ନ ଭାଗର ଉଭୟ ଅଙ୍ଗର ଗତିଶୀଳତା କମ୍ ଥାଏ । ଖେଳାଳି ପୁରା ଚଉଡା ଥିବା କୋର୍ଟରେ ଠିଆ ହୋଇ ଖେଳି ଥାଆନ୍ତି । ସେମାନଙ୍କ ପାଇଁ ଗତିଶୀଳତା ପାଇଁ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା କରାଯାଇଥାଏ । ନିଜର ଅଦମ୍ୟ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ସାହସ ବଳରେ ଏହି ଦିବ୍ୟାଙ୍ଗ ବିଶ୍ୱ ବିଜେତା ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଖେଳପ୍ରତି ନିଜର ନିଷ୍ଠା ଓ ଭଲପାଇବା ତଥା ଭାରତର ଗୌରବ ଭାବରେ ଏହି ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।

 

Get real time updates directly on you device, subscribe now.