ଖୋଲିବ ଚାଷୀଙ୍କ ଭାଗ୍ୟ: ପୁନରୁଦ୍ଧାର ହେବ ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳ, ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ବ

ଚିନିକଳ ଖୋଲିବା ଦିଗରେ ଆଉ ଏକ ପଦକ୍ଷେପ । ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳର ହେବ ପୁନରୁଦ୍ଧାର ।

ଭୁବନେଶ୍ବର: ଚିନିକଳ ଖୋଲିବା ଦିଗରେ ଆଉ ଏକ ପଦକ୍ଷେପ । ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳର ହେବ ପୁନରୁଦ୍ଧାର । ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ଚିନିକଳର ହେବ ପୁନରୁଦ୍ଧାର । ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନି ଶିଳ୍ପ ଏବଂ ବଡ଼ମ୍ବାର କୋ-ଅପରେଟିଭ ସୁଗାର ମିଲର ପୁନରୁଦ୍ଧାର ହେବା ନେଇ ସୂଚନା ମିଳିଛି ।

ପ୍ଲାଣ୍ଟ ଓ ଯନ୍ତ୍ରାଂଶର ମୂଲ୍ୟାୟନ କରିବାକୁ ଚିଠି ଲୋଖାଯାଇଥିବା ବେଳେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଏନେଇ ଦିଆଗଲା ଦାୟିତ୍ବ ।

20 ବର୍ଷ ଧରି ବନ୍ଦ ପଡ଼ିଥିଲା ବଡ଼ମ୍ବା ଚିନିକଳ

ସେପଟେ ଦୀର୍ଘ 20 ବର୍ଷ ଧରି ବନ୍ଦ ପଡ଼ିଥିବା ବଡ଼ମ୍ବା ଚିନିକଳର ହେବ ପୁନରୁଦ୍ଧାର ।  ୧୯୮୪ରେ ବଡମ୍ବାରେ ପ୍ରତିଷ୍ଠା ହୋଇଥିଲା ଏହି ଚିନିକଳ। ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ହଜାରେ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଉକ୍ତ ଚିନିକଳରୁ ୧୯୮୯ରୁ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୯୧ରେ ଏହି ଚିନିକଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଶକ୍ତି ସୁଗାରକୁ ଦିଆଯାଇଥିଲା।

ଶକ୍ତି ସୁଗାର ୧୯୯୧ରୁ ୨୦୦୩ ପର୍ଯ୍ୟନ୍ତ ଏହାକୁ ଚଳାଇଥିଲା। ହେଲେ ଲାଭଦାୟକ ନହେବା ଫଳରେ ୨୦୦୩ରେ ଶକ୍ତି ସୁଗର ଚିନିକଳ ପରିଚାଳନା ଭାର ଛାଡିଦେଇ ନିଜସ୍ବ ଚିନିକଳ ଢେଙ୍କାନାଳରେ କରିଥିଲା। ଫଳରେ ୨ବର୍ଷ ସମବାୟ ବିଭାଗ ପୁଣି ନିଜ ଅଧୀନରେ ରଖି ଚିକିକଳ ପରିଚାଳନା କରିଥିଲା।

ତେବେ ୨୦୦୬ରେ ରାଜ୍ୟ ବାହାର କମ୍ପାନି ବାଲାଜୀ ସୁଗାରକୁ ଚିନି କଳ ପରିଚାଳନା ଭାର ଦିଆଯାଇଥିଲା। କିନ୍ତୁ ଉକ୍ତ କମ୍ପାନି ଏହାକୁ ଠିକରେ ଚଳାଇ ପାରିନଥିଲା। ବରଂ ଜାଲିଆତି କରି ବ୍ୟାଙ୍କ ଋଣ ହାତେଇଥିଲା। ଯାହାଫଳରେ ୨୦୦୬ରୁ ଚାଷୀଙ୍କ ଆଶା, ଭରସାର ଉତ୍ସ ବଡମ୍ବା ଚିନିକଳ ସଂପୂର୍ଣ୍ଣ ବନ୍ଦ ପଡିଛି।

12 ବର୍ଷ ଧରି ବନ୍ଦ ପଡ଼ିଥିଲା ବିଜୟାନନ୍ଦ ସମବାୟ ଚିନିକଳ

ସ୍ଥାନୀୟ ଦେଓଗାଁ ବ୍ଲକ ସାଗରପାଲି କଲୋନି ନିକଟରେ ଥିବା ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୨ ବର୍ଷ ହେଲା ବନ୍ଦ ପଡ଼ିଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚିନିକଳର ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସମ‌ବ‌ାୟ ସମିତିର ଅତିରିକ୍ତ ନିବନ୍ଧକଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ଜମି ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ‌ଦେବେ।
ନୂଆ ସରକାରରେ ବଲାଙ୍ଗୀର ଜିଲାକୁ ଉପମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ପଦବି ମିଳିଛି। ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମନ୍ତ୍ରୀ ହେବା ପରେ ବନ୍ଦ ପଡ଼ିଥିବା ଏହି ଚିନିକଳ ପୁଣି ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି।