ଆକାଉଣ୍ଟରୁ ୧୨ ଲକ୍ଷ ଲୁଟ୍ ମାମଲା: ଫେରିଲା ଅଢ଼େଇ ଲକ୍ଷ, ବାକି ଟଙ୍କା କେବେ ଆସିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନା ପାତ୍ରଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଚଳୁ କରିନେଇଥିଲେ ସାଇବର ଅପରାଧୀ । ତେବେ ଏହି ମାମଲାରେ ଉକ୍ତ ମହିଳାଙ୍କ ଆକାଉଣ୍ଟକୁ ଅଢ଼େଇ ଲକ୍ଷ ଟଙ୍କା ଫେରିଛି । ଏନେଇ ଜ୍ୟୋତ୍ସ୍ନା ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ବାକି ଅର୍ଥ କେବେ ଫେରିବ ସେ ଚିନ୍ତାରେ ରହିଛନ୍ତି । ସାଇବର ଥାନା ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଜ୍ୟୋତ୍ସ୍ନାଙ୍କ ଫିକ୍ସଡ ଡିପୋଜିଟରୁ ୧୦ ଲକ୍ଷ ଗାଏବ ହେବା ପରେ ଆକାଉଣ୍ଟକୁ ଅଚଳ କରିବାକୁ ସେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ମାତ୍ର ପ୍ରଥମେ ଥାନାରେ ଏଫଆଇଆର ଦାୟର କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜ୍ୟୋତ୍ସ୍ନାଙ୍କୁ କହିଥିଲେ । ଏହି ସମୟ ମଧ୍ୟରେ ଆକାଉଣ୍ଟରୁ ଆଉ ଅଢ଼େଇ ଲକ୍ଷ ଟଙ୍କା କଟି ଯାଇଥିଲା । ଜ୍ୟୋତ୍ସ୍ନା ଓ ତାଙ୍କ ସ୍ୱାମୀ ସମୀର ପ୍ରଧାନ ୫ ଲକ୍ଷ ଲେଖାଏଁ ମୋଟ ୧୦ ଲକ୍ଷ ଟଙ୍କା ଇଣ୍ଡସଇଣ୍ଡ ବ୍ୟାଙ୍କରେ ସ୍ଥାୟୀ ଜମା କରିଥିଲେ । ଅର୍ଥ ଆକାଉଣ୍ଟରୁ କଟିଯିବା ପରେ ଆକାଉଣ୍ଟକୁ ବ୍ଲକ କରିବାକୁ ଦମ୍ପତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ ତାହା କରିନଥିଲେ । ଫଳରେ ଏହି ଅବଧି ମଧ୍ୟରେ ଆଉ ଦୁଇ ଲକ୍ଷ ୪୫ ହଜାର କଟି ଯାଇଥିଲା । ତେଣୁ ହତାଶ ହୋଇ ଦମ୍ପତି ବ୍ୟାଙ୍କ କର୍ମଚାରୀଙ୍କ ଅପାରଗତାକୁ ଦାୟୀ କରି ସାଇବର ଥାନାରେ ମାମଲା ରୁଜୁ କରିଥିଲେ ।