ଭୁବନେଶ୍ୱର: ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ ଜୋରରେ ବଢିଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଲଘୁ ଖଣିଜ ଚୋରା ଚାଲାଣରେ ରୋକ ଲାଗିବ।
ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଖଣି ବିଭାଗରେ ରହିବ, କିନ୍ତୁ ଦାୟିତ୍ୱ ନେବ ରାଜସ୍ୱ ବିଭାଗ। ରାଜସ୍ୱ ବିଭାଗ ଦାୟିତ୍ୱ ସୁଚାର ରୂପେ ତୁଲାଇବ ବୋଲି ଆଶା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲଘୁ ଖଣିଜ ଦ୍ରବ୍ୟ ଲୁଟ୍କୁ ନେଇ ଏବେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଇ-ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଟିପି ବା ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ। ବିନା ଟିପିରେ ପରିବହନ ହେଉଥିବା ଖଣିଜ ଦ୍ରବ୍ୟ ବେଆଇନ ବୋଲି ବିଚାର କରାଯିବ।
ଏପରିକି ବିନା ଟିପିରେ କିଣାଯାଇ ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟବହାର ହେଉଥିବା ଖଣିଜ ଦ୍ରବ୍ୟକୁ ମଧ୍ୟ ଚୋରି ଦ୍ରବ୍ୟ ଭାବେ ବିଚାର କରାଯିବ। ଟିପି ପାସ ଜମା କରିନଥିଲେ ସଂପୃକ୍ତ ଠିକାଦାର ବା ଏଜେନ୍ସିଙ୍କ ବିଲ୍ ପାସ୍ ହେବନାହିଁ।