ଆଜି ମହାପ୍ରଭୁଙ୍କର ବନକଲାଗି, 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ବନକଲାଗି ନୀତି ପାଇଁ ସନ୍ଧ୍ୟା 5ଟାରୁ ରାତି 10 ଯାଏଁ ସାଧାରଣ ଦର୍ଶନ ବନ୍ଦ ।
ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ସ୍ୱତନ୍ତ୍ର ନୀତି ହେବ । ତେଣୁ ଆଜି 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ।
ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବନକ ଲାଗି ନୀତି ପାଇଁ 5 ଏବଂ 6 ତାରିଖରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ । ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ପରେ ଆଜି ରାତି 10ଟାରୁ ସାଧାରଣ ଦର୍ଶନ କରିପାରିବେ ଭକ୍ତ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ ।
ଏହି ବନକ ଲାଗି ନୀତିରେ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହାର କରାଯାଇଥାଏ । ଏଥିରେ କୌଣସି ବଜାରର ରଙ୍ଗ ବ୍ୟବହାର କରାଯାଏ ନାହିଁ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ ।