ନୂଆଦିଲ୍ଲୀ: ଶେଖ୍ ହସିନାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ରଖିଲା ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବୟାନ ଦେବାରୁ ରୋକିବା ପାଇଁ ତାଙ୍କ ଦେଶ ଭାରତକୁ ନିବେଦନ କରିଛି । ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଆଗକୁ ଯେପରି ହସିନା ଏପରି ବୟାନ ନ ଦିଅନ୍ତୁ । ଗୁରୁବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତୌଫିକ ହାସନ କହିଛନ୍ତି ଯେ ଶେଖ୍ ହସିନା ପ୍ରାୟତଃ ରାଜନୈତିକ ବୟାନ ଦେଇଥାନ୍ତି ।
ଭାରତରେ ରହୁଥିବା ଶେଖ୍ ହସିନା ରାଜନୈତିକ ବୟାନ ଦେବା ସପକ୍ଷରେ ବାଂଲାଦେଶ ନାହିଁ ବୋଲି ଭାରତୀୟ ହାଇକମିଶନର ଓ ଭାରତ ସରକାରଙ୍କୁ ଅବଗତ କରାଯାଇଛି । ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଦୃଷ୍ଟିରେ ରଖି ଶେଖ୍ ହସିନାଙ୍କୁ ଏଭଳି ବୟାନ ଦେବାରୁ ରୋକିବା ଜରୁରୀ ବୋଲି କୁହାଯାଉଛି । ଅଗଷ୍ଟ ୫ ତାରିଖରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଆସିଥିଲେ । ଏବେ ତାଙ୍କୁ ଭାରତରେ ରହିବାର ୧୦୦ ଦିନରୁ ଅଧିକ ସମୟ ବିତିଗଲାଣି । ତେବେ ଏଠି ପ୍ରଶ୍ନ ଉଠୁଛି, ଶେଖ ହସିନାଙ୍କ ଏପରି ବୟାନ ପାଇଁ ଭାରତ-ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କରେ କିଛି ପ୍ରଭାବ ପଡ଼ିବନି ତ ?