fbpx

ଭୁବନେଶ୍ୱରକୁ ଲୁଟୁଛନ୍ତି ବାଂଲାଦେଶୀ: ବଢ଼ୁଛି ସେକ୍ସ ରାକେଟ, ବ୍ରାଉନ ସୁଗର, ନକଲି ନୋଟ୍ କାରବାର, ଚିନ୍ତାରେ କମିଶନରେଟ୍ ପୋଲିସ ଓ ଗୁଇନ୍ଦା ବିଭାଗ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରୁଛି । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଏଠାକୁ ପାଠ ପଢ଼ିବା, ରୋଜଗାର ଆଶାରେ ଆସୁଛନ୍ତି । ଫଳରେ ରାଜଧାନୀରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେବେ ଏହି ପରିସ୍ଥିତିର ସୁଯୋଗ ନେଇ ବିଭିନ୍ନ ସମୟରେ ରାଜ୍ୟ ବାହାରର ଅପରାଧୀମାନେ ଏଠାରେ ଆଡ୍ଡା ଜମାଉଛନ୍ତି । ଅନେକ ସମୟରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ରାଜ୍ୟ ବାହାରର ଅପରାଧୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଧରାପଡ଼ୁଛନ୍ତି ।

ତେବେ ଏହା ମଧ୍ୟରେ ବାଂଲାଦେଶୀ ଯୁବକ, ଯୁବତୀମାନେ ରାଜଧାନୀ ପାଇଁ ବିପଦ ସାଜିଛନ୍ତି । ଏହାକୁ ନେଇ କମିଶନରେଟ୍ ପୋଲିସ ଓ ଗୁଇନ୍ଦା ବିଭାଗର ଚିନ୍ତା ବଢ଼ିଯାଇଛି । ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦେଇ ବିଭିନ୍ନ ସମୟରେ ବାଂଲାଦେଶୀ ନାଗରିକମାନେ ନକଲି ପାସପୋର୍ଟ ଦେଖାଇ ପଶି ଆସୁଛନ୍ତି । ଗତବର୍ଷ ଧଉଳି ଥାନା ଅଞ୍ଚଳର ଏଟିଏମ୍ ଲୁଟ୍ ଘଟଣାରେ କ୍ରାଇମବ୍ରାଞ୍ଚ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଥିଲା । ସେହିପରି ୩ ବର୍ଷ ତଳେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଞ୍ଚଳରେ ଘଟିଥିବା ଡକାୟତି ମାମଲାରେ ୩ ଜଣ ବାଂଲାଦେଶୀ ଗିରଫ ହୋଇଥିଲେ ।

ସେହିପରି ରାଜଧାନୀ ଉପକଣ୍ଠ ପିପିଲି ଓ ନୂଆପଲ୍ଲୀ ଅଞ୍ଚଳରୁ ବାଂଲାଦେଶୀ ରୂପଜୀବୀ ଓ ୫ ଜଣ ବାଂଲା ଦଲାଲଙ୍କୁ ଗିରଫ କରାଯାଇଥିଲା । ଅଧିକାଂଶ ସେକ୍ସ ରାକେଟ ଓ କ୍ରାଇମ ଘଟଣାରେ ବାଂଲାଦେଶୀ ଯୁବକୀ, ଯୁବତୀଙ୍କର ସମ୍ପୃକ୍ତି ରହୁଛି । ତେବେ ବାଂଲାଦେଶୀମାନେ ଏବେ ରାଜଧାନୀରେ କାୟା ବିସ୍ତାର କରି ଚାଲିଥିବା ବେଳେ ଆଗକୁ କିଛି ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି । ତେଣୁ ରାଜଧାନୀରୁ ବାଂଲାଦେଶୀଙ୍କ ମୂଳୋତ୍ପାଟନ କରିବା ଦିଗରେ ପଦକ୍ଷେପ ନିଆଯିବ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

କମିଶନରେଟ୍ ପୋଲିସ ସୂଚନା ମୁତାବକ, ଗତ ୨୦୨୦ରେ ଇନଫୋସିଟି ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ଦୁଜଜଣ ଅବସରପ୍ରାପ୍ତ ଯବାନଙ୍କ ଘରୁ ସୁନାଗହଣା ଓ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଦିଲ୍ଲୀ ପୋଲିସର ଏକ ଡକାୟତି ଗ୍ୟାଙ୍ଗକୁ ପଚରାଉଚରା ବେଳେ ଏହି ଘଟଣାର ଡକାୟତମାନେ ଧରାପଡ଼ିଥିଲେ । ତେବେ ଏହି ମାମଲାରେ ଦୁଇଜଣ ଯୁବକଙ୍କୁ ରିମାଣ୍ଡରେ ନିଆଯାଇଥିବା ବେଳେ ସେମାନଙ୍କ ଗ୍ୟାଙ୍ଗରେ ୨୦ ଜଣ ବାଂଲାଦେଶୀ ସାମିଲ ଥିବା କହିଥିଲେ । ସେମାନେ ନକଲି ପାସପୋର୍ଟ ଜରିଆରେ ଗଙ୍ଗାନଦୀ ବେଲାରପୁର ଦେଇ ଭାରତରେ ପ୍ରବେଶ କରିଥିବା କହିଥିଲେ । ଅପରାଧୀମାନେ ଭାଗ ଭାଗ ହୋଇ ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଡକାୟତି କରିଥିଲେ ।

ଗତବର୍ଷ ଧଉଳି ଥାନା ଅଞ୍ଚଳରୁ ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଏଟିଏମ୍ ଲୁଟ୍ ହୋଇଥିଲା । ଉକ୍ତ ଘଟଣାରେ ମଧ୍ୟ ଦୁଇଜଣ ବାଂଲାଦେଶୀ ଗିରଫ ହୋଇଥିଲେ । ପୂର୍ବରୁ ବାଂଲାଦେଶୀମାନେ ନକଲି ନୋଟ୍ କାରବାର, ବ୍ରାଉନସୁଗର କାରବାର ଓ ସେକ୍ସ ର୍ୟାକେଟରେ ମଧ୍ୟ ସାମିଲ ହୋଇ ଧରାପଡ଼ିଛନ୍ତି । ସେମାନେ ନକଲି ପାସପୋର୍ଟ, ନକଲି ଆଧାରକାର୍ଡ, ନକଲି ଫଟୋ ପରିଚୟପତ୍ର ପ୍ରସ୍ତୁତ କରି ଏଠାରେ ଅପରାଧ ଘଟାଉଛନ୍ତି । ପୂର୍ବରୁ ସେକ୍ସ ରାକେଟରେ ଜଡ଼ିତ ରାଣୀ ମହୁମାଛି ଓ ୬ ଜଣ ବାଂଲାଦେଶୀ ରୂପଜୀବୀ ମଧ୍ୟ ଗିରଫ ହୋଇଥିଲେ । ବାଂଲାଦେଶୀମାନେ ରାଜଧାନୀର ମାଳିସାହି ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ରହୁଛନ୍ତି । ଯେଉଁ ମାମଲାରେ ବାଂଲାଦେଶୀ ଧରାପଡ଼ୁଛନ୍ତି ସେମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ କୁହାଯାଉଥିବା ଡିସିପି କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି । ତେବେ ବାଂଲାଦେଶୀଙ୍କୁ ରାଜଧାନୀରୁ ବିତାଡ଼ିତ କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।

Get real time updates directly on you device, subscribe now.