fbpx

ବ୍ୟାଙ୍କ ଲକର ସମ୍ବନ୍ଧିତ ଆରବିଆଇର ନୂଆ ନିୟମ, କୌଣସି କାରଣରୁ ଲକରରେ ରଖାଯାଇଥିବା ଆପଣଙ୍କ ବହୁମୂଲ୍ୟ ଜିନିଷ ପ୍ରତି କ୍ଷତି ପହଞ୍ଚିଲେ କିଏ ଭରଣା କରିବ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଘରର ଟ୍ରେଜେରୀ ଠାରୁ ଅଧିକ ସୁରକ୍ଷିତ ବ୍ୟାଙ୍କ ଲକର ବୋଲି ଦେଶର ବହୁ ଲୋକ ମନେ କରିଥାନ୍ତି । କାରଣ ସେମାନେ ଭାବିଥାନ୍ତି ଏଠାରେ ସେମାନଙ୍କ ପଇସା, ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଧିକ ସୁରକ୍ଷିତ ରହିଥାଏ । ହଁ ଏହା ଠିକ୍ ଯେ, ବ୍ୟାଙ୍କ ଲକର ସୁରକ୍ଷିତ ହୋଇଥାଏ କିନ୍ତୁ କୌଣସି ଆକସ୍ମିକ ଦୁର୍ଘଟଣାରେ ବ୍ୟାଙ୍କ ଲକରରେ ରଖାଯାଇଥିବା ଟଙ୍କା କି ଗହଣା ନଷ୍ଟ ହୋଇଗଲେ ଏହାର ଭରଣା କିଏ କରିବ ?

ସାଧାରଣତଃ ଆପଣ ଦେଖିଥିବେ ହୋଟେଲ, ବସ୍ କିମ୍ବା ଭଡାରେ ଘର ନେବା କ୍ଷେତ୍ରରେ ଆପଣଙ୍କ ଜିନିଷର ସୁରକ୍ଷା ଦାୟିତ୍ୱ ସବୁବେଳେ ଗ୍ରାହକ କିମ୍ବା ଭଡା ନେଇଥିବା ଲୋକଙ୍କ ଉପରେ ରହିଥାଏ । ହୋଟେଲ କିମ୍ବା ବସ୍ ରେ ଲେଖାଯାଇଥାଏ ଯେ, ଯାତ୍ରୀ ନିଜ ଜିନିଷର ସୁରକ୍ଷା ନିଜେ କରନ୍ତୁ । ଠିକ୍ ଏହି ତର୍କ ବ୍ୟାଙ୍କ ବି ରଖୁଥିଲା କି ଏହାର ଲକରରେ ରଖାଯାଇଥିବା ଗ୍ରାହକଙ୍କ ଜିନିଷ କ୍ଷେତ୍ରରେ କୌଣସି କ୍ଷତି ପହଞ୍ଚିଲେ ବ୍ୟାଙ୍କ ଏଥିପାଇଁ ଦାୟୀ ରହିବ ନାହିଁ । କିନ୍ତୁ ବ୍ୟାଙ୍କ ଲକର ସହ ଜଡିତ ବିଭିନ୍ନ ମାମଲାରେ ଆସିଥିବା ଆପତ୍ତି ପରେ ଆରିଆଇ ଲକର୍ସକୁ ନେଇ ବ୍ୟାଙ୍କ ଦାୟୀ ରହିବେ ବୋଲି ନୂଆ ନିୟମ ଆଣିଛନ୍ତି ।
ଚଳିତ ବର୍ଷ ଫେବୃୟାରୀରେ ଲାଗୁ ହୋଇଥିବା ନୂଆ ଲକର୍ସ ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କ ଲକରରେ କ୍ୟାସ୍‌, ଗହଣା କିମ୍ବା ଅନ୍ୟ କିଛି ଦାମୀ ସାମଗ୍ରୀ ରଖିଥିବେ ଓ ବ୍ୟାଙ୍କର ଦାୟିତ୍ୱହୀନତା କାରଣରୁ କିମ୍ବା ଅନ୍ୟ କୌଣସି ଆକସ୍ମିକ କାରଣ ବଶତଃ ଏଥିରେ କ୍ଷତି ପହଞ୍ଚିଥାଏ ତେବେ ଏଥିପାଇଁ ବ୍ୟାଙ୍କ ହିଁ ସଂପୂର୍ଣ୍ଣ ଦାୟୀ ରହିବ ।

ଆରବିଆଇ କହିଛି ବ୍ୟାଙ୍କ ଲକରରେ ରଖାଯାଇଥିବା ଗ୍ରାହକଙ୍କ ଜିନିଷକୁ କୌଣସି କ୍ଷତି ପହଞ୍ଚିଲେ ବ୍ୟାଙ୍କ ଗ୍ରାହକଙ୍କୁ ଲକରର ବାର୍ଷିକ ଭଡାର ୧୦୦ ଗୁଣ ଦେବାକୁ ବାଧ୍ୟ ହେବ । ସେହିପରି ଅଗ୍ନିକାଣ୍ଡ କିମ୍ବା ଚୋରୀ ଆଦି କାରଣରୁ ଲକରକୁ କ୍ଷତି ପହଞ୍ଚିଲେ ଏହାର ଭରଣା ବି ବ୍ୟାଙ୍କ କରିବ । କାରଣ ଏପରି ଘଟଣାକୁ ବ୍ୟାଙ୍କର ଦାୟିତ୍ୱହୀନତା ମନେ କରାଯିବ । ଏପରି ସ୍ଥିତିରେ ବ୍ୟାଙ୍କ କେବେ ବି କହିପାରିବ ନାହଇର୍ କି ଏହା ତାହାର ଦାୟିତ୍ୱ ନୁହେଁ ବୋଲି ।
କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବ୍ୟାଙ୍କ ଲକରରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀର ସବୁ ଦାୟିତ୍ୱ କେବଳ ବ୍ୟାଙ୍କର । ଯଦି ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ବନ୍ୟା, ଭୂମିକମ୍ପ କିମ୍ବା ଅନ୍ୟ କିଛି ଘଟଣାରେ ବ୍ୟାଙ୍କର କୌଣସି ଦାୟିତ୍ୱ ନାହିଁ । ସେହିପରି ଗ୍ରାହକଙ୍କ ଦାୟିତ୍ୱହୀନତା କାରଣରୁ ଲକରରେ ରଖାଯାଇଥିବା ଜିନିଷ ଉପରେ କିଛି କ୍ଷତି ପହଞ୍ଚିଲେ ବ୍ୟାଙ୍କ ଦାୟୀ ରହିବ ନାହିଁ ।

Get real time updates directly on you device, subscribe now.