ବ୍ୟାଙ୍କ କାନ୍ଥରେ ସିନ୍ଧି କରି ଚୋରି ଉଦ୍ୟମ, ସାଇରନ୍‌ ବାଜିବାରୁ ଧରାପଡିଲେ ଯୁବକ

କୋରାପୁଟ, (ଭାସ୍କର ନ୍ୟୁଜ୍‌): ପ୍ରଥମ ଥର ବ୍ୟାଙ୍କ କାନ୍ଥରେ ସିନ୍ଧି କରି ଚୋରି ଉଦ୍ୟମ ବେଳେ ସାଇରନ୍‌ ବାଜିବାରୁ ସଫଳ ହୋଇପାରି ନ ଥିଲା ଦୁର୍ବୃତ୍ତ । ତେବେ ଦ୍ୱୀତିୟ ଥର ପୁଣି ସାଇରନ୍‌ ବାଜିବାରୁ ବିଫଳ ହେଲା । କିନ୍ତୁ ପୋଲିସ ହାତରେ ଧରାପଡିଥିଲା ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ସେମିଳିଗୁଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଆକ୍ସିସ୍‌ ବ୍ୟାଙ୍କ ଶାଖାରେ । ସୁନାବେଡା ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୭ ଜୁଲାଇ ବିଳମ୍ବିତ ରାତିରେ ଆକ୍ସିସ ବ୍ୟାଙ୍କ ପଛ କାନ୍ଥ ସିନ୍ଧି କରି କିଛି ଦୁର୍ବୃତ୍ତ ବ୍ୟାଙ୍କରେ ପଶିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ସମୟରେ ବ୍ୟାଙ୍କରେ ଲାଗିଥିବା ସାଇରନ ବାଜିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ ସୁନାବେଡା ପୋଲିସ ଜାରି ରଖି ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ନ ଜାରି ରଖିଥିଲେ । ତେବେ ପୁଣି ୨ଜଣ ଦୁର୍ବୃତ୍ତ ଆକ୍ସିସ୍‌ ବ୍ୟାଙ୍କ କାନ୍ଥକୁ ସିନ୍ଧି କରି ଭିତରକୁ ପଶି ଷ୍ଟ୍ରଙ୍ଗରୁମ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଷ୍ଟ୍ରଙ୍ଗରୁମ ସୁରକ୍ଷା ପାଇଁ ଥିବା ସାଇରନ ବାଜି ଯାଇଥିଲା । ସୁନାବେଡା ପୋଲିସ ସାଙ୍ଗେସାଙ୍ଗେ ବ୍ୟାଙ୍କ ପାଖରେ ପହଞ୍ଚି ଯିବାରୁ ପୋଲିସକୁ ଦେଖି ଜଣେ ଦୁର୍ବୃତ୍ତ ସେଠାରୁ ଦୌଡି ପଳାଇ ଯାଇଥିଲା । ତେବେ ବ୍ୟାଙ୍କ ଭିତରେ ଥିବା ଅନ୍ୟ ଜଣେ ଦୁର୍ବୃତ୍ତକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା । ଠିକଣା ସମୟରେ ପୋଲିସ ପହଞ୍ଚି ଯିବାରୁ ବଡ ଧରଣର ବ୍ୟାଙ୍କ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଥିଲା । ବ୍ୟାଙ୍କର କିଛି କାଗଜପତ୍ର ଷ୍ଟାମ୍ପ ଅନ୍ୟ ଜଣେ ଦୁର୍ବୃତ୍ତ ଜଣକ ନେଇ ଯାଇଥିବା ଜାଣିବାକୁ ପାଇ ଶାଖା ପରିଚାଳକ ଥାନାରେ ଅଭିଯାଗ କରିଥିଲେ । ଏହାପରେ ପୋଲିସ ସୁନାବେଡାସ୍ଥିତ ବିଜୁ କଲୋନିର ଭୁବନ କୁଳଦୀପ (୨୧)କୁ ଗିରଫ କରିଛି । ଏନେଇ ଥାନାରେ କେସ୍‌ ନଂ ୧୩୧/୧୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଏସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ଓ ଏହା ପଛରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତା’ର ତଦନ୍ତ ଜାରି ରହିଛି । ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ସୁନାବେଡା ଏସ୍‌ଡିିଓ ମନୋଜ କୁମାର ବେହେରା କହିଛନ୍ତି ।