fbpx

ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଇଣ୍ଡିଆ:ଦି ମୋଦୀ କୋଶ୍ଚିନ’ ଅଷ୍ଟ୍ରେଲିଆ ସଂସଦରେ ପ୍ରଦର୍ଶିତ, ଭାରତରେ ଲାଗିଛି ପ୍ରତିବନ୍ଧ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ସଂସଦରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି । ବିବିସି ପକ୍ଷରୁ ମୋଦୀଙ୍କ ଉପରେ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିବସୀୟ ଅଷ୍ଟ୍ରେଲିଆ ଗସ୍ତ ସମାପ୍ତ କରି ଗୁରୁବାର ଭାରତ ଫେରି ଆସିଛନ୍ତି । ମୋଦୀଙ୍କ ଅଷ୍ଟ୍ରେଲିଆ ରହଣୀ ସମୟରେ ସେଠିକାର ସଂସଦରେ ଆମନେଷ୍ଟୀ ଇଣ୍ଟରନ୍ୟାସନାଲ ସହିତ କିଛି ସ୍ଥାନୀୟ ସଂଗଠନ ପକ୍ଷରୁ ଭାରତରେ ପ୍ରତିବନ୍ଧିତ ବିବିସିର ଡକ୍ୟୁମେଣ୍ଟାରୀ ଇଣ୍ଡିଆ:ଦି ମୋଦୀ କୋଶ୍ଚିନ’ ର ପ୍ରଦର୍ଶନ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ସମୟରେ ସେଠାରେ ଉପସ୍ଥିତ ଥିବା ଦି ଗ୍ରୀନ୍ସ ପାର୍ଟିର ସାଂସଦ ଜୋର୍ଡାନ ଷ୍ଟିଲ୍ ଜନ୍ କହିଛନ୍ତ ଆମରପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ ଭାରତରେ ମାନବଧିକାର ପ୍ରସଙ୍ଗରେ ତାଙ୍କ ସହ ଚର୍ଚ୍ଚା କରିନାହାନ୍ତି ଯାହାକୁ ନେଇ ସେ ନାରାଜ ଅଛନ୍ତି ।

ମଙ୍ଗଳବାର ସିଡନୀ ଅଲମ୍ପିକ୍ ପାର୍କରେ ୨୦ ହଜାରରୁ ଅଧିଖ ପ୍ରବାସୀ ମୋଦୀଙ୍କ ଭବ୍ୟ ସ୍ୱାଗତ କରିଥିଲେ । ଏହି ସମୟରେ ଆଲବାନିଜ୍ ମୋଦୀଙ୍କୁ ବସ୍ କହି ସମ୍ବୋଧନ କରିଥିଲେ । ଏହାର ପରବର୍ତ୍ତୀ ଦିନ ଦୁଇ ନେତା ଭାରତୀୟ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ସିଡନୀ ଅପେରା ହାଉସ୍ରେ ସାମ୍ନାରେ ଫଟୋ ଉଠାଇଥିଲେ । ଠିକ୍ ଏହି ସମୟରେ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ େହୋଇଥିଲା ଯେଉଁଥିରେ ମାତ୍ର ୫୦ ଲୋକ ଭାଗ ନେଇଥିଲେ । ୱି ଦି ଡାୟୋସ୍ପରା ସହିତ କିଛି ମାନବାଧିକାର ସଂଗଠନ ମିଶି ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିଥିଲା ଯେଉଁଥିରେ କେୟାର, ହିନ୍ଦୁସ୍ ଫର୍ ହ୍ୟୁମାନ ରାଇଟ୍, ଏମେନଷ୍ଟୀ ଇଣ୍ଟରନ୍ୟାସନାଲ ଓ ହ୍ୟୁମାନିଜିମ୍ ପ୍ରୋଜେକ୍ଟ ସାମିଲ ଥିଲେ ।

ଭାରତ ସରକାରଙ୍କ ପକ୍ଷରୁ ବିବିସିର ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧ ଲାଗିଥିଲା । ସରକାରଙ୍କ ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀ ବିଷୟରେ କୁହାଯାଇଥିଲା ଯେ ଏଥିରେ ବହୁ ଜିନିଷକୁ ନିରପେକ୍ଷ ଭାବରେ ଦେଖାଯାଇ ନାହିଁ । ଅନ୍ୟପକ୍ଷରେ ପଶ୍ଚିମ ଦେଶ ଗୁଡିକ ମାନବାଧିକାର ପ୍ରସଙ୍ଗରେ ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି ଅଷ୍ଟ୍ରେଲିଆ ସାଂସଦ ଷ୍ଟିଲ୍ ଜନ୍ କହିଛନ୍ତି । ଏଣୁ ଆଲବାନିଜ୍ ମୋଦୀଙ୍କ ସହ ଏହି ମାନବାଧିକାର ପ୍ରସଙ୍ଗରେ ଆଲୋଚନା କରି ନ ଥିବାରୁ ସେ ତାଙ୍କ ଉପରେ କ୍ଷୁବ୍ଧ । ସେ କହିଛନ୍ତି ଆମେ ଭାରତ ସହିତ ଆମ ସଂପର୍କକୁ ବେଶ୍ ମହତ୍ତ୍ୱ ଦେଉଛୁ । କିନ୍ତୁ ଆମେ ଏହି ପ୍ରସଙ୍ଗକୁ ନେଇ ଭାରତ ସହ ଆଲୋଚନା ବି ଚାହୁଁଛୁ । ଅଷ୍ଟ୍ରେଲିଆରେ ଗଣତନ୍ତ୍ରର ହୃଦୟ ରହିଥିବାରୁ ଏଠାରେ ବିବିସି ଡକ୍ୟୁମେଣ୍ଟାରୀ ଦେଖାଯିବାରେ କିଛି ଅସୁବିଧା ନାହିଁବୋଲି ଗ୍ରୀନ୍ସ ପାର୍ଟି ସାଂସଦ ଡେଭିଡ୍ ଶୁବ୍ରିଜ୍ କହିଛନ୍ତି ।

Get real time updates directly on you device, subscribe now.