AIIMS ଭୁବନେଶ୍ୱର ପକ୍ଷରୁ ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜିତ
ମୂଲ୍ୟଭିତ୍ତିକ ଏବଂ ପ୍ରମାଣଭିତ୍ତିକ ଔଷଧର ଏକୀକରଣ ସମୟର ଆହ୍ୱାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣାର ପ୍ରମୁଖତାକୁ ଗୁରୁତ୍ୱ ଦେବା ସହିତ ପ୍ରଥମକ ରି ଚଳିତ ବର୍ଷ, ଏମ୍ସ ଭୁବନେଶ୍ୱର ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜନ କରିଛି । ଏକାଧିକ ଖ୍ୟାତନାମା ଜାତୀୟ ଓ ଆଞ୍ଚଳିକ ପ୍ରତିଷ୍ଠାନଗୁଡ଼ିକୁ ଏକତ୍ର କରି ଚିକିତ୍ସା ଅନୁସନ୍ଧାନରେ ସହଯୋଗ ବୃଦ୍ଧି ସହିତ ଏକ ସାମୁହିକ ଅନୁସନ୍ଧାନ ସହଭାଗିତା ସୃଷ୍ଟି କରିବାର ସଫଳ ପ୍ରୟାସ କରିଛି ଏମ୍ସ ଭୁବନେଶ୍ୱର । ଏହା ଆଞ୍ଚଳିକ ସ୍ତରରେ ସ୍ୱାସ୍ଥ୍ୟସେବା ଫଳାଫଳକୁ ଗତି ଦେବାରେ ସହାୟକ ହୋଇପାରିବ ।
ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର, ନାଇଜର, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସ (ଜୀବ ବିଜ୍ଞାନ ପ୍ରତିଷ୍ଠାନ), ଆଇସିଏମଆର-ଆରଏମଆରସି ଭୁବନେଶ୍ୱର, କିଟ୍-ଟିବି ବାୟୋନକ୍ୟୁବେଟର, ସୋଆ ବିଶ୍ୱବିଦ୍ୟାଳୟ, ଏସଭିନିରତାର ଏବଂ ହାଇ-ଟେକ୍ ମେଡିକାଲ କଲେଜ ଆଣ୍ଡ ହସପିଟାଲ ସମେତ ପ୍ରମୁଖ ଆଞ୍ଚଳିକ ଅନୁସନ୍ଧାନ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ । ଜାତୀୟ ତଥା ଆନ୍ତର୍ଜାତୀୟ ଆର୍ଥିକ ଏଜେନ୍ସିଗୁଡିକର ଅନୁସନ୍ଧାନ ଅନୁଦାନରେ ପ୍ରାୟ ୧୫ କୋଟି ଏବଂ ପ୍ରସିଦ୍ଧ ପତ୍ରିକାରେ ଏକ ହଜାରରୁ ଅଧିକ ପ୍ରକାଶନ କରିବାର ଏକ ପ୍ରଭାବଶାଳୀ ରେକର୍ଡ ସହିତ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଗବେଷଣାକୁ ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି ।
ଅତିଥି ଏବଂ ଗବେଷକମାନଙ୍କୁ ସ୍ୱାଗତ କରିବା ସହିତ ଡ. ବିଶ୍ୱାସ କହିଥିଲେ ଯେ ଏହି ଜାତୀୟ ଅନୁଷ୍ଠାନରେ ଆଧୁନିକ ବାୟୋଟେକ୍ନୋଲୋଜି ଏବଂ ରୂପାନ୍ତରଣ ସହିତ ଉତ୍ପାଦ ବିକାଶ ଉପରେ ଧ୍ୟାନ ଦେଇ ଏକ ଅତ୍ୟାଧୁନିକ କେନ୍ଦ୍ରୀୟ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଅର୍ଥୋପେଡିକ୍ ସର୍ଜିକାଲ୍ ପ୍ରୟୋଗରେ ନୂତନ ପେଟେଣ୍ଟ ଏବଂ ଚକ୍ଷୁ ଦୋଷ ବ୍ୟାଧି ନିରାକରଣରେ ଅଗ୍ରଗତି ସହିତ ଚିକିତ୍ସକମାନେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି । ଆଇଆଇଟି ଭୁବନେଶ୍ୱର ସହିତ ପରସ୍ପର ସହଯୋଗରେ କୃତ୍ରିମ ବୁଦ୍ଧିମତା (ଏଆଇ) କ୍ଷେତ୍ରରେ ଏକାଧିକ ଗବେଷଣା ପ୍ରକଳ୍ପ ଆରମ୍ଭ କରି ଅନୁଷ୍ଠାନର ଦୂରଦର୍ଶୀତାକୁ ଆହୁରି ବିସ୍ତାର କରିଥିବା ଡ. ବିଶ୍ୱାସ କହିଛନ୍ତି ।
ଏମ୍ସ ରିଷିକେଶର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମୀନୁ ସିଂ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଜୀବନ ଏବଂ ସ୍ୱାସ୍ଥ୍ୟ ଅର୍ଥନୀତିର ବିକାଶ ନିମନ୍ତେ ପ୍ରମାଣ-ଆଧାରିତ ଆଭିମୁଖ୍ୟ ସହିତ ମୂଲ୍ୟ-ଆଧାରିତ ଔଷଧର ଏକୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପାରମ୍ପରିକ ତଥ୍ୟ ଉପରେ ଗବେଷଣା କରିବାର ମହତ୍ତ୍ୱ ସଂପର୍କରେ ଡ. ସିଂ ଆଲୋକପାତ କରିଥିଲେ । ବିଶେଷ କରି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ପ୍ରସିଦ୍ଧ, ଓଡ଼ିଶା ପରି ରାଜ୍ୟରେ ଏହାର ଗୁରୁତ୍ୱ ରହିଥିବା ସେ ମତବ୍ୟକ୍ତ କରିଥିଲେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ସଂକ୍ରାମକ ରୋଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡ. ସ୍ୱରୂପ ସରକାର ବିଶ୍ୱର ସ୍ୱାସ୍ଥ୍ୟ ନୀତି କିପରି ଏଚଆଇଭି ଏବଂ ଯକ୍ଷ୍ମା ଭଳି ସମସ୍ୟାକୁ ସଫଳତାର ସହ ମୁକାବିଲା କରିଛି ସେ ବିଷୟରେ ଆଲୋଚନା କରିବା ସହିତ ଭାରତରେ ଚାଲିଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ମୁକାବିଲା ପାଇଁ ବିଜ୍ଞାନ ପ୍ରୟୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ନୂତନ ଔଷଧ, କ୍ଲିନିକାଲ ପରୀକ୍ଷା ଏବଂ ଟୀକାକରଣର ବିକାଶରେ ଭାରତ ସ୍ୱତନ୍ତ୍ର ଭାବରେ ସ୍ଥାନିତ ହୋଇଛି । ଏମ୍ସ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ସୁବିଧା ଏବଂ ଚିକିତ୍ସା ନିମନ୍ତେ ଆସୁଥିବା ହଜାର ହଜାର ରୋଗୀଙ୍କ ସଂଖ୍ୟା, ଗବେଷଣା ପାଇଁ ବିପୁଳ ସମ୍ଭାବନା ଥିବା ଡ. ସରକାର ପ୍ରକାଶ କରିଥିଲେ ।
ଏହି ଉତ୍ସବରେ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋ ସାଇନ୍ସ କୋଲକାତାର ନ୍ୟୁରୋଟୋଲୋଜି ନିର୍ଦ୍ଦେଶକ ଡ. ଅନିର୍ବାଣ ବିଶ୍ୱାସ ସାଧାରଣ ସମସ୍ୟାର ସମାଧାନ ଉପରେ ଅନୁସନ୍ଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପେରିଫେରାଲ୍ ନ୍ୟୁରୋପାଥି କୁଷ୍ଠରୋଗ (ପିଏନଏଲ) ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ଡ. ସଞ୍ଜୀବ କୁମାର ଭୋଇଙ୍କୁ ଶ୍ରେଷ୍ଠ ଗବେଷକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏକାଧିକ ଅନୁସନ୍ଧାନ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ ଅଧ୍ୟାପକ ଅଧ୍ୟାପିକା ଏବଂ ବରିଷ୍ଠ ଆବାସିକ ଚିକିତ୍ସକଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ପି ଆର ମହାପାତ୍ର (ଡିନ୍ ଏକାଡେମିକ୍), ଡ. ସତ୍ୟଜିତ୍ ମିଶ୍ର (ଡିନ ଗବେଷଣା), ଡ. ସୌଭାଗ୍ୟ କୁମାର ଜେନା (ଡିନ୍ ପରୀକ୍ଷା) ଏବଂ ଡ. ଭାଗୀରଥୀ ଦ୍ୱିବେଦୀ (ଆସୋସିଏଟ୍ ଡିନ୍ ଗବେଷଣା) ପ୍ରମୁଖ ମଞ୍ଚାଷୀନ ଥିଲେ ।