fbpx

(Video) ଶୁଭ୍ରାଂଶୁଙ୍କ ‘୨୭୭’ ରନର ଇନିଂସକୁ ନେଇ ଜାତୀୟସ୍ତରରେ ବଡ଼ ଚର୍ଚ୍ଚା: ଓଡ଼ିଆ ପୁଅର ପ୍ରଦର୍ଶନରେ ଅଭିଭୂତ ହେଲା BCCI

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ କ୍ରୀଡ଼ାରେ ଓଡ଼ିଶାର କ୍ରୀଡ଼ାବିତମାନେ ଜାତୀୟସ୍ତରରେ ବହୁ ସୁନାମ ଅର୍ଜନ କରିଥିବା ବେଳେ କ୍ରିକେଟ କ୍ଷେତ୍ରରେ କିନ୍ତୁ ଆମେ ବହୁ ପଛରେ ରହିଥିବା ଭଳି ଅନୁଭବ ହୁଏ । ଆଜିର ସମୟରେ ଜଣେ ହେଲେ ବି ଓଡ଼ିଆ କ୍ରିକେଟର ଜାତୀୟ ସ୍ତରର କୌଣସି ଗୋଟିଏ ବି ଫର୍ମାଟରେ ସ୍ଥାନ ପାଇ ନାହାନ୍ତି । ଅତୀତରେ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ଭଳି ହାତଗଣତି କିଛି କ୍ରିକେଟର ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

ତେବେ ଏଭଳି ସ୍ଥିତିରେ ଓଡ଼ିଶାର ଜଣେ ଉଦ୍ଦୀୟମାନ କ୍ରୀଡ଼ା ପ୍ରତିଭାକୁ ନେଇ ଏବେ ଜାତୀୟସ୍ତରରେ ଜୋରସୋରରେ ଚର୍ଚ୍ଚା ଚାଲିଛି । ସେ ହେଉଛନ୍ତି ଗତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସରେ ସ୍ଥାନ ପାଇଥିବା ଶୁଭ୍ରାଂଶୁ ସେନାପତି । ଶିବସୁନ୍ଦରଙ୍କର ପରେ ଦ୍ୱିତୀୟ ଓଡ଼ିଆ ବ୍ୟାଟର ଭାବେ ନିକଟରେ ଶୁଭ୍ରାଂଶୁ ରଣଜୀ ଟ୍ରଫିରେ ଦ୍ୱିଶତକ ହାସଲ କରିଥିଲେ । ୨୦୨୨ରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ୨୦ ଲକ୍ଷରେ କିଣିଥିବା ବେଳେ ଆଗାମୀ ସିଜିନ ପୂର୍ବରୁ ତାଙ୍କୁ ରିଲିଜ୍ କରିଦେଇଥିଲା ।

ତେବେ କଠିନ ପରିଶ୍ରମ ହିଁ ଜଣେ ଖେଳାଳିଙ୍କୁ ମହାନରୁ ମହାନତମ କରି ଗଢ଼ିତୋଳିଥାଏ, ଏହା ପ୍ରମାଣ କରିଛନ୍ତି ଶୁଭ୍ରାଂଶୁ । ମଧ୍ୟପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁ ନିଜର ପ୍ରଥମ ଦ୍ୱିଶତକ ହାସଲ (୨୭୭ ଅପରାଜିତ) କରି ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭଲ ପ୍ରତିଭାଙ୍କ ଉପରେ ସର୍ବଦା ନଜର ରଖୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନଜର ଏବେ ପଡ଼ିଛି ଶୁଭ୍ରାଂଶୁଙ୍କ ଉପରେ । ଶୁଭ୍ରାଂଶୁଙ୍କ ପ୍ରଦର୍ଶନରେ ଅଭିଭୂତ ହୋଇ ବିସିସିଆଇ ୨.୫ ମିନିଟର ଏକ ଭିଡଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶେୟାର କରିଛି ।

ସେହି ଭିଡିଓକୁ ବହୁ କ୍ରୀଡ଼ାପ୍ରେମୀ ପ୍ରଶଂସା କରିବା ସହିତ ଶୁଭ୍ରାଂଶଙ୍କୁ ଅନ୍ତର୍ଜାତୀୟ ମ୍ୟାଚରେ ସୁଯୋଗ ମିଳିବା ଦରକାର ବୋଲି ଅପିଲ କରିଛନ୍ତି । ଗୋଟିଏ ପଟେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହେବାରେ ଲାଗିଥିବା ବେଳେ ଶୁଭ୍ରାଂଶୁ ହାର ନ ମାନି ପ୍ରତିପକ୍ଷର ବୋଲରଙ୍କୁ ସାମ୍ନା କରିଥିଲେ । ତେବେ ଯୁଦ୍ଧ ଏତିକିରେ ସରିନାହିଁ । ଆଗକୁ ଶୁଭ୍ରାଂଶୁଙ୍କୁ ଆହୁରି ଅନେକ କଠିନ ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିବ । ସେହି ପରୀକ୍ଷାରେ ବିଜୟୀ ହେଲେ ହିଁ ସେ ନିଜକୁ ମହାନ ଯୋଦ୍ଧା ବୋଲି ପ୍ରମାଣିତ କରିପାରିବେ । ଓଡ଼ିଆ ପୁଅ ଜମା ଅଟକିବ ନାହିଁ, ସେ ନିଶ୍ଚିତ ଜିତିବ । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଜଣେ ପ୍ରତିଭାମାନ କ୍ରିକେଟର ହେବା ଏତେ ସହଜ ନୁହେଁ । ଖୁବ କମ୍ ଦିନରେ ଶୁଭ୍ରାଂଶୁଙ୍କ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସ୍ୱପ୍ନ ପୂରଣ ହେବ । ଶୁଭ୍ରାଂଶୁ ଆଗକୁ ନିଶ୍ଚିତ କିଛି ବଡ଼ କରି ଦେଖାଇବେ ଆଉ ରାଜ୍ୟ ପାଇଁ ଗୌରବ ଆଣିବେ, ଏହା ଆମ ସମସ୍ତଙ୍କର କାମନା ।

Get real time updates directly on you device, subscribe now.