ବିନା ଦରମାରେ କାମ କରିବେ BCCIର ନୂଆ ସଭାପତି ମନହାସ, ତଥାପି ରୋଜଗାର କରିବେ କୋଟି କୋଟି ଟଙ୍କା

କେତେ ରୋଜଗାର କରିବେ BCCI ନୂଆ ଅଧ୍ୟକ୍ଷ?

ଓଡିଶାଭାସ୍କର: ରବିରା ଦିନ ଦିଲ୍ଲୀର ପୂର୍ବତନ ଅଧିନାୟକ ମିଥୁନ ମନହାସଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ (BCCI)ର ନୂତନ ସଭାପତି ଭାବରେ ନିର୍ବାଚିତ କରାଯାଇଛି।

ସେ ଗତ ମାସରେ ଇସ୍ତଫା ଦେଇଥିବା ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନିଙ୍କ ସ୍ଥାନ ନେଇଛନ୍ତି। ସେ ପର୍ଯ୍ୟନ୍ତ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ କାର୍ଯ୍ୟ କରୁଥିଲେ।

ମୁମ୍ୱାଇର ବିସିସିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭାରେ ମନହାସଙ୍କୁ ଅନୁଷ୍ଠାନିକ ଭାବରେ ୩୭ ତମ ସଭାପତି ଭାବରେ ନିର୍ବାଚିତ କରାଯାଇଥିଲା। ସୌରଭ ଗାଙ୍ଗୁଲି ଏବଂ ବିନ୍ନିଙ୍କ ପରେ ସେ ଏହି ପଦବୀରେ ଥିବା ତୃତୀୟ କ୍ରିକେଟର ହୋଇଛନ୍ତି।

୪୫ ବର୍ଷୀୟ ମନହାସ ତାଙ୍କ ସିନିୟର କ୍ୟାରିୟରରେ ପ୍ରାୟ ୧୫,୦୦୦ ରନ କରିଛନ୍ତି। ଯେଉଁଥିରେ ଫାଷ୍ଟ କ୍ଲାସ କ୍ରିକେଟରେ ୯୭୧୪ ରନ୍ ସାମିଲ ରହିଛି।

ସେ ଏପରି ସମୟରେ ଦିଲ୍ଲୀର ଅଧିନାୟକ ଥିଲେ ଯେତେବେଳେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ୱାଗ ଏବଂ ଗୌତମ ଗମ୍ଭୀର ପ୍ରାୟତଃ ଟିମ୍ ଇଣ୍ଡିଆରେ ବ୍ୟସ୍ତ ଥିଲେ। ତାଙ୍କ କ୍ୟାରିୟରର ପରବର୍ତ୍ତୀ ସମୟରେ ସେ ରଣଜୀ ଟ୍ରଫିରେ ତାଙ୍କ ଘରୋଇ ରାଜ୍ୟ ଜମ୍ମୁ ଓ କାଶ୍ମୀର ପାଇଁ ମଧ୍ୟ ଖେଳିଥିଲେ।

ମନହାସଙ୍କ ରୋଜଗାର: BCCI ସଭାପତି ପଦବୀ ସମ୍ମାନଜନକ,  ମନହାସ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡରୁ ଏକ ସ୍ଥିର ବାର୍ଷିକ କିମ୍ୱା ମାସିକ ଦରମା ପାଇବେ ନାହିଁ।  ବରଂ ସେ ଅନ୍ୟ ପଦାଧିକାରୀମାନଙ୍କ ପରି ଦୈନିକ ଭତ୍ତା ଏବଂ ସୁବିଧା ପାଇବେ।

ମନହାସ ପ୍ରତିଦିନ ଏତେ ରୋଜଗାର କରିବ: ଇକୋନୋମିକ୍ ଟାଇମ୍ସ ଅନୁଯାୟୀ, ସେ BCCI କିମ୍ବା ଅନ୍ୟାନ୍ୟ ଘରୋଇ ବୈଠକର ଅଧ୍ୟକ୍ଷତା କରିବା ପାଇଁ ପ୍ରତିଦିନ ୪୦ ହଜାର ଟଙ୍କା ପାଇବେ।

ବିଦେଶ ବୈଠକ ପାଇଁ, ସେ ପ୍ରତିଦିନ ପ୍ରାୟ ୮୮,୬୬୮ ଟଙ୍କା ପାଇବେ। ଭାରତ ମଧ୍ୟରେ କୌଣସି କାର୍ଯ୍ୟ ଯାତ୍ରା ପାଇଁ ସେ ପ୍ରତିଦିନ ୩୦ ହଜାର ଟଙ୍କା ଭତ୍ତା ପାଇବେ।

ଏହା ସହିତ BCCI ସଭାପତି ଭାବରେ ମନହାସ ଘରୋଇ ଯାତ୍ରା ପାଇଁ ବିଜନେସ୍ କ୍ଲାସ୍ ଏବଂ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଫାଷ୍ଟ କ୍ଲାସ୍ ବା ବିଜନେସ୍ କ୍ଲାସ୍ ପାଇବେ, ସହିତ ଫାଇଭ୍ ଷ୍ଟାର ହୋଟେଲ ସୁଟ୍‌ରେ ରହିବା ପାଇଁ ମଧ୍ୟ ପାଇବେ।