fbpx

(Video) ହୋଇଯାଆନ୍ତୁ ସାବଧାନ, ନୋହିଲେ ଜଳବାୟୁ ପରିବର୍ତ୍ତନ ଭୟଙ୍କର ବାତ୍ୟାର କରିବ ସୂତ୍ରପାତ

ନୂଆଦିଲ୍ଲୀ: କୌଣସି ଅସମ୍ଭବ କଥା କହିବା ବେଳେ ଅନେକ ସମୟରେ ଲୋକ ମରୁଭୂମିର ଜଳର ଉଦାହରଣ ଦେଇଥାନ୍ତି । ହେଲେ ଏହି ଅସମ୍ଭବ ସମ୍ଭବ ହୋଇଛି । ମରୁଭୂମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ବିଶ୍ୱର ସର୍ବବୃହତ୍ତ ସାହାରା ମରୁଭୂମିରେ ବନ୍ୟାର ଦୃଶ୍ୟ ସାମ୍ନାକୁ ଆସିଛି । ନାସା ଦ୍ୱାରା ଉପଗ୍ରହ ସଂଗୃହିତ ଫଟୋରୁ ଏହି ଚିତ୍ର ଆସିଛି ।

ଦକ୍ଷିଣ ପୂର୍ବ ମରକ୍କୋରେ ଦୁଇ ଦିନ ଧରି ମୁଶଳ ବର୍ଷା ପରେ ସାହାରା ମରୁଭୂମିର କିଛି ଅଞ୍ଚଳରେ ଭୟଙ୍କର ବନ୍ୟା ଆସିଛି । ମରକ୍କୋ ପାଣିପାଗ ବିଶେଷଜ୍ଞଙ୍କ ମୁତାବକ, ରାଜଧାନୀ ରବାତରୁ ୪୫୦ କିମି ଦକ୍ଷିଣରେ ସ୍ଥିତ ଟେଗୋନାଇଟରେ ୨୪ ଘଣ୍ଟାରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ମରକ୍କୋର ପାଣିପାଗ ବିଭାଗ ଅଧିକାରୀ ଜଣେ କହିଛନ୍ତି କି, ୫୦ ବର୍ଷ ପରେ ଏତେ କମ ସମୟରେ ଏତେ ବର୍ଷା ରେକର୍ଡ ହୋଇଛି ।

ନାସା ଦ୍ୱାରା ଉପଗ୍ରହ ପ୍ରେରିତ ଫଟୋରେ ଦେଖିବାକୁ ମିଳିଛି ୫୦ ବର୍ଷରୁ ଶୁଖିଲା ପଡିଥିବା ଜଗୋରା ଓ ତାତା ମଧ୍ୟରେ ଥିବା ଇରିକ୍ୱି ହ୍ରଦ ଜଳରେ ଭରି ଯାଇଛି । ଗତ ମାସରେ ମରକ୍କୋରେ ଆସିଥିବା ବନ୍ୟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଚଳିତ ବନ୍ୟା ସେହି ସବୁ ଅଞ୍ଚଳରେ ବ୍ୟାପିଛି, ଯାହା ଗତ ବର୍ଷ ଭୂକମ୍ପରେ ପ୍ରଭାବିତ ହୋଇଥିଲା । ଦକ୍ଷିଣ ପୂର୍ବରେ ଥିବା ଜଳଭଣ୍ଡାର ସେପ୍ଟେମ୍ବରରେ ପାଣିରେ ଭରି ଯାଇଥିଲା ।

ଉତ୍ତର, ମଧ୍ୟ ଓ ପଶ୍ଚିମ ଆଫ୍ରିକାରେ ୯ ମିଲିୟନ ବର୍ଗ କିମିରୁ ଅଧିକ ଅଞ୍ଚଳରେ ବ୍ୟାପ୍ତ ସାହାରା ମରୁଭୂମିକୁ ଗ୍ଲୋବାଲ ୱାର୍ର୍ମିଂ କାରଣରୁ ଚରମ ଜଳବାୟୂଗତ ସମସ୍ୟାର ସମ୍ମୁଖୀନ ହେବାକୁ ହେଉଛି । ବୈଜ୍ଞାନିକ ଆହୁରି ଚେତାଇ ଦେଇଛନ୍ତି କି, ଭବିଷ୍ୟତରେ ଏହି କ୍ଷେତ୍ରରେ ଏହି ପରିମାଣର ବାତ୍ୟା ଆହୁରି ବଢିବା ଆଶଙ୍କା ରହିଛି । ବିଶ୍ୱ ତାପମାତ୍ରା ବୃଦ୍ଧିର ପରିଣାମ ସ୍ୱରୂପ, ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଲୋକଙ୍କୁ ଅଧିକ ବା କମ ଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

Get real time updates directly on you device, subscribe now.