ନୂଆଦିଲ୍ଲୀ,୧୦ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦର ଠିକ୍ ପୂର୍ବରୁ ଇନ୍ଦୋରର ହୋଲକର ଷ୍ଟାଡିୟମକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଆସିଥିଲା । ମାତ୍ର ଏହାର କିଛି ସମୟ ପରେ ଭାରତ ଆଗରେ ଆଣ୍ଠେଇଥିଲା ପାକିସ୍ତାନ । ଅସ୍ତ୍ର ବିରତି ପାଇଁ ରାଜି ହୋଇଥିଲା । ଯାହା ଫଳରେ ସନ୍ଧ୍ୟା ୫ଟା ପରଠାରୁ ଉଭୟ ଦେଶ ଯୁଦ୍ଧ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ ।
ଏହି ଧମକ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନକୁ ମେଲ୍ ମାଧ୍ୟମରେ ଦିଆଯାଇଥିଲା, ଯାହା ପରେ ବୋର୍ଡ ଏ ବିଷୟରେ ପୋଲିସକୁ ଜଣାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରିଥିଲା, କିନ୍ତୁ ସେମାନଙ୍କୁ ଏପରି କୌଣସି ବସ୍ତୁ ମିଳିନଥିଲା ଯାହା କୌଣସି ବ୍ୟକ୍ତିଙ୍କ ପାଇଁ ବିପଦ ସୃଷ୍ଟି କରିବ।
ସୂଚନା ଥାଉକି, ଜମ୍ମୁ, ଗୁଜୁରାଟ ଭଳି ଅନେକ ସ୍ଥାନରେ ଡ୍ରୋନ ସହ ମିଜାଇଲ୍ ମାଡ କରିଥିଲା ପାକିସ୍ତାନ। ପାକିସ୍ତାନର ଆଟାକକୁ ଦେଖି ଅଧାରୁ ବନ୍ଦ କରାଯାଇଥିଲା IPL ମ୍ୟାଚ୍। ବ୍ଲାକ୍ ଆଉଟ୍ ହୋଇଥିଲା ଧର୍ମଶାଳା ଷ୍ଟାଡିୟମ। ଅଧାରୁ ଦର୍ଶକଙ୍କୁ ଷ୍ଟାଡିୟମ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ମ୍ୟାଚକୁ ଅଧାରୁ ବନ୍ଦ କରାଗଲା। ଧର୍ମଶାଳାରେ ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍ ଚାଲିଥିବାବେଳେ ଖେଳ ଅଧାରୁ ବନ୍ଦ ରହିଥିଲା ।