fbpx

୧୪ ବର୍ଷରୁ କମ୍ ବୟସର ପିଲା ଡାଇବେଟିସର ଶିକାର: ଦେଖାଯାଉଛି ୪ଟି ବଡ଼ ଲକ୍ଷଣ, ସାବଧାନ ରହିବାକୁ ସବୁ ପିତାମାତାଙ୍କୁ ପରାମର୍ଶ ଦେଲେ ଡାକ୍ତର

ନୂଆଦିଲ୍ଲୀ: ଭାରତରେ ଏବେ ପ୍ରତିବର୍ଷ ଡାଇବେଟିସର ମାମଲା ବଢ଼ିବାରେ ଲାଗିଛି । ଛୋଟ ପିଲାମାନେ ଦ୍ରୁତ ଭାବେ ଏହି ବୀମାରୀର ଶିକାର ହେଉଛନ୍ତି । ୧୪ ବର୍ଷରୁ କମ୍ ବୟସର ପିଲାଙ୍କଠାରେ ଡାଇବେଟିସର ୪ଟି ବଡ଼ ଲକ୍ଷଣ ଦେଖାଯାଉଛି । ମାତ୍ର ଅନେକ ସମୟରେ ପିତାମାତାମାନେ ଏହିସବୁ ଲକ୍ଷଣକୁ ଦେଖି ଅବହେଳା କରିଦେଇଥାନ୍ତି । ଫଳରେ ବୀମାରୀ ବଢ଼ିବା ସହିତ ପରବର୍ତ୍ତୀ ସମୟରେ ତାହା ଭୟଙ୍କର ରୂପ ଧାରଣ କରିଥାଏ ।

ପୂର୍ବରୁ ୫୦ ବର୍ଷର ବୟସ୍କଙ୍କଠାରେ ଡାଇବେଟିସ ବୀମାରୀ ଦେଖାଯାଉଥିଲା । ମାତ୍ର ଏବେ ଉକ୍ତ ଛବି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ବର୍ତ୍ତମାନ ସମୟରେ ୧୪ ବର୍ଷ ପର୍ଯ୍ୟନ୍ତ ବୟସର ପିଲାଙ୍କୁ ଏହି ବୀମାରୀ ଶିକାର କରୁଛି । ଅନେକ କ୍ଷେତ୍ରରେ ପିତାମାତା ପିଲାଙ୍କର ଡାଇବେଟିସର ଲକ୍ଷଣକୁ ଠିକରେ ବୁଝି ପାରନ୍ତି ନାହିଁ । ଫଳରେ ରୋଗ ଶରୀରରେ ବଢ଼ିବାରେ ଲାଗିଥାଏ । ବୟସ ବଢ଼ିବା ସହିତ ଏହା ପିଲାଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି । ଖରାପ ଲାଇଫଷ୍ଟାଇଲ, ମୋଟାପା ଓ ଜେନେଟିକ କାରଣରୁ ପିଲାଙ୍କ ଠାରେ ଏହା ବଢ଼ୁଛି । ତେଣୁ ରୋଗର ଲକ୍ଷଣ ଓ ଚିକିତ୍ସା ନେଇ ସତର୍କ ରହିବାକୁ ଅଭିଭାବକଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

ଡାଇବେଟିସର ୨୫ ପ୍ରତିଶତ ମାମଲା ଟାଇପ ୨ ହୋଇଥିବା ବେଳେ ଖରାପ ଜୀବନଧାରଣ କାରଣରୁ ରୋଗ କେତେ ଦ୍ରୁତ ଭାବେ ବ୍ୟାପୁଛି ତାହା ଏଥିରୁ ଜଣାପଡ଼ିଥାଏ । ଅନ୍ୟ ମାମଲାରେ ଶରୀରର ଅଟୋଇମ୍ୟୁନ ପ୍ରତିକ୍ରିୟା କାରଣରୁ ରୋଗ ଶିଶୁଙ୍କ ଠାରେ ବ୍ୟାପୁଥିବା ଜଣାପଡ଼ିଛି । ଶିଶୁଙ୍କର ଡାଇବେଟିସ ଲକ୍ଷଣ ଜାଣିବା ନିହାତି ଜରୁରୀ । ସମୟ ପୂର୍ବରୁ ଯଦି ଏହି ଲକ୍ଷଣକୁ ଚିହ୍ନଟ କରିହେବ ତେବେ ଭବିଷ୍ୟତରେ ହେବାକୁ ଥିବା ଅନ୍ୟ ଗମ୍ଭୀର ବୀମାରୀ ଆଶଙ୍କା ହ୍ରାସ ପାଇବ । ରାତିରେ ଶେଯରେ ପରିସ୍ରା କରିବା, କମ୍ ପାଇ ପିଇଲେ ମଧ୍ୟ ବାରମ୍ବାର ପରିସ୍ରା ଲାଗିବା, ସର୍ବଦା ଥକ୍କାପଣ ଅନୁଭବ କରିବା, ଭୋକ କମ୍ ବା ଅଧିକ ଲାଗିବା ଆଦି ଲକ୍ଷଣ ସବୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ । ତେଣୁ ପିଲାଙ୍କର ବ୍ଲକ ଶୁଗର ସ୍ତର ଯାଞ୍ଚ କରିବା, ପିତାମାତାଙ୍କୁ ଡାଇବେଟିସ ହୋଇଥିଲେ ଶିଶୁଙ୍କୁ ଯାଞ୍ଚ କରିବା, ଡାକ୍ତରଙ୍କ ପରାମର୍ଶ କ୍ରମେ ପିଲାଙ୍କୁ ଇନସୁଲିନ ଦେବା ସହିତ ଡାଇବେଟିସ ଲକ୍ଷଣ ଦେଖାଦେଲେ ସଙ୍ଗେସଙ୍ଗେ ଚିକିତ୍ସା କରିବା ଆବଶ୍ୟକ ।

Get real time updates directly on you device, subscribe now.