fbpx

ରେକର୍ଡ଼େଡ୍ କଲ ପ୍ରତି ସାବଧାନ୍ ! ମହିଳାଙ୍କ Delivery app accountରୁ ଉଡ଼ିଗଲା ୯୭ ହଜାର ଟଙ୍କା, ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗ । ତେଣୁ ଦିନକୁ ଦିନ ଅନଲାଇନ୍ ଠକେଇ ଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନ୍ ଠକମାନେ ମଧ୍ୟ ବେଶ ସକ୍ରିୟ ହୋଇଗଲେଣି । ସେମାନେ ଠକିବା ପାଇଁ ସବୁବେଳେ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାନ୍ତି । ଏହା ପୋଲିସ ଏବଂ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଗଲାଣି । ଏହିପରି ଏକ ମାମଲା ସାମ୍ନାକୁ ଆସିଛି ଦିଲ୍ଲୀରୁ । ଏକ ଫ୍ରଡ୍ କଲ୍ ମାଧ୍ୟମରେ ମହିଳାଙ୍କ ଠାରୁ ଲୁଟିଥିଲେ ୯୭ ହଜାର ଟଙ୍କା । ଏହି ମାମଲା ସହ ଜଡ଼ିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଦିଲ୍ଲୀ ପୋଲିସ ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ଜବତ କରିଛି ।

ଆଜିକାଲି ଅଧିକାଂଶ ଲୋକମାନେ ବିଭିନ୍ନ ଆପ୍ ସହ ନିଜ ବ୍ୟାଙ୍କ ଆକାଉଣ୍ଟ ଲିଂକ କରାଉଛନ୍ତି । ଏହାର ଫାଇଦା ଉଠାଉଛନ୍ତି ଅନଲାଇନ୍ ଠକ । ଦିଲ୍ଲୀରେ ଏଭଳି ଏକ ଫ୍ରଡ୍ କଲର ଶିକାର ହୋଇଥିବା ମହିଳା(ପୀଡ଼ିତା)ଙ୍କ ବୟାନ ଅନୁଯାୟୀ ତାଙ୍କୁ ପ୍ରଥମେ ଏକ ରେକର୍ଡ଼େଡ୍ କଲ୍ ଆସିଥିଲା । ଏଥିରେ କୁହାଯାଇଥିଲା ଯେ କେହି ଜଣେ ଆପଣଙ୍କ ଆପ୍ ଖାତାରେ unauthorized access କରିବା ପାଇଁ ଚେଷ୍ଟା କରୁଛନ୍ତି । ଠକ ଜଣଙ୍କ ଚାଲାକି କରି କିଛି ନମ୍ବର ଉପରେ କ୍ଲିକ୍ କରିବା ପାଇଁ କହିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଫୁଡ୍ ଡେଲିଭେରି ଆକାଉଣ୍ଟ ସହ ପେ ଆକାଉଣ୍ଟରୁ ଟଙ୍କା କଟି ଯାଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଅଜଣା ନମ୍ବର ହେଉଛି ଏକ ଭର୍ଚୁଆଲ ନମ୍ବର । ଜାଲ ସିମ୍ କାର୍ଡ଼ ବ୍ୟବହାର କରି ଏଭଳି ଠକାମୀ କାମ ପାଇଁ ବ୍ୟବହାର ହୋଇଥାଏ । ଅପରାଧୀମାନେ ଫୁଡ୍ ଡେଲିଭେରି ଆପ୍ ମାଧ୍ୟମରେ କମ୍ ମୂଲ୍ୟରେ ବଡ଼ ବଡ଼ ଅର୍ଡ଼ର କରିଥାନ୍ତି । ପରେ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ପ୍ରତି ଅର୍ଡ଼ର ପିଛା ସେମାନଙ୍କୁ ୫ରୁ ୧୦% ଲାଭ ମିଳିଥାଏ । Interactive Voice Response ମାଧ୍ୟମରେ ଠକମାନେ ଲୋକଙ୍କୁ ଠକିଥାନ୍ତି । ତେବେ ଅଭିଯୁକ୍ତ ଦୁଇ ଜଣ ହେଲେ ଗୁରୁଗ୍ରାମର ଅନିକେତ କାଲରା ଏବଂ ହିମାଂଶୁ । ପୋଲିସ ସେମାନଙ୍କ ପାଖରୁ ୨ଟି ମୋବାଇଲ ଫୋନ୍, ୩ଟି ସିମ୍ କାର୍ଡ଼,୯ଟି କ୍ରେଡ଼ିଟ୍ ଏବଂ ଡେବିଟ୍ କାର୍ଡ଼, ଏକ ନକଲି ଆଧାର କାର୍ଡ଼ ଜବତ କରିଛି ।
ଏଭଳି ଅଜଣା ନମ୍ବରୁ ରେକର୍ଡ଼େଡ୍ କଲ୍ ପ୍ରତି ସାବଧାନ ରୁହନ୍ତୁ । ଅଜଣା ବ୍ୟକ୍ତିଙ୍କୁ ଆକାଉଣ୍ଟ ଡିଟେଲ୍ସ ଦିଅନ୍ତୁ ନାହିଁ । ସନ୍ଦେହ ହେଲେ ନିକଟସ୍ଥ ବ୍ୟାଙ୍କ କିମ୍ବା ପୋଲିସକୁ ସମ୍ପର୍କ କରନ୍ତୁ ।

Get real time updates directly on you device, subscribe now.