fbpx

‘ରାଜନୀତି’ ଦୁନିଆରେ ପାଦ ଥାପିଲେ ଶୁଭମନ ଗିଲ୍: Election Commission ଦେଲେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବଡ଼ ଦାୟିତ୍ୱ ମିଳିଛି । ପଞ୍ଜାବର ନିର୍ବାଚୟ ଆୟୋଗ ଶୁଭମନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ଶୁଭମନ ଗିଲଙ୍କୁ ପଞ୍ଜାବର ‘ଷ୍ଟେଟ ଆଇକନ୍’ ଭାବରେ ନିଯୁକ୍ତ କରାଯାଇଛି । ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ତରଫରୁ ଏ ନେଇ ସୂଚନା ମିଳିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ୍ ସି ଶୁଭମନ ଗିଲଙ୍କ ଦାୟିତ୍ୱ ନେଇ ସୂଚନା ଦେଇଛନ୍ତି ।

ଆସନ୍ତା ଲୋକସଭା ନିର୍ବାଚନରେ ଶୁଭମନ ଗିଲ୍ ବିଭିନ୍ନ ଅଭିଯାନରେ ସାମିଲ ହେବେ । ଭୋଟରମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିବ । ଫଳରେ ଚଳିତବର୍ଷ ୭୦ ପ୍ରତିଶତରୁ ଅଧିକ ଭୋଟିଂ କରିବା ଲକ୍ଷ୍ୟରେ ସଫଳ ହୋଇପାରିବ ପଞ୍ଜାବ । ସୂଚନା ଥାଉ କି ନିର୍ବାଚନ ଅଧିକାରୀ ଚଳିତବର୍ଷ ନିର୍ବାଚନ ପାଇଁ ‘ଇସ୍ ବାର୍ ୭୦ ପାର୍’ ଲକ୍ଷ୍ୟ ରଖିଛନ୍ତି । ପଞ୍ଜାବରେ ୨୦୧୯ ଲୋକସଭା ନିବାଚନରେ ୧୩ଟି ସିଟ୍ ପାଇଁ ୬୫.୯୬ ପ୍ରତିଶତ ଭୋଟିଂ ହୋଇଥିଲା । ତେବେ ଚଳିତବର୍ଷ ଗିଲ୍ ବିଶେଷ କରି ଖେଳପ୍ରେମୀ ତଥା ଯୁବବର୍ଗ ମଧ୍ୟରେ ଲୋକପ୍ରିୟ ହୋଇଥିବାରୁ ତାଙ୍କୁ ରାଜ୍ୟର ‘ଷ୍ଟେଟ ଆଇକନ୍’ ଭାବରେ ନିଯୁକ୍ତ କରାଯାଇଛି । ସେ ଭୋଟରମାନଙ୍କୁ ଭୋଟିଂ ପାଇଁ ପ୍ରୋତ୍ସାହନ କରିବେ ।

ସିବିନ୍ ସି କହିଛନ୍ତି ଯେ ଭୋଟିଂ କମ୍ ହେଉଥିବା ବିଭିନ୍ନ ଅଞ୍ଚଳରେ ଗିଲ ସଚେତନତା ଅଭିଯାନରେ ଭୋଟିଂ ପାଇଁ ଅପିଲ୍ କରି ଭୋଟରଙ୍କୁ ଉତ୍ସାହିତ କରିବେ, ଯାହା ରାଜ୍ୟରେ ଭୋଟ୍ ପ୍ରତିଶତ ବୃଦ୍ଧି କରିବାରେ ଖୁବ ସହାୟକ ହୋଇପାରିବ । ଏହାପୂର୍ବରୁ ଲୋକପ୍ରିୟ ପଞ୍ଜାବୀ ଗାୟକ ତାରସେମ ଜାସରଙ୍କୁ ‘ଷ୍ଟେଟ ଆଇକନ୍’ ଭାବରେ ମନୋନୀତ କରାଯାଇଥିଲା ଏବଂ ସେ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ । ଶୁଭମନ ଗିଲ ଏବଂ ତାରସେମଙ୍କ ଦ୍ୱାରା ପ୍ରଭାବିତ ହୋଇ ଅଧିକ ଭୋଟର ଚଳିତବର୍ଷ ନିଜ ମତଦାନ କରିବେ ବୋଲି ଆଶା ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Get real time updates directly on you device, subscribe now.