fbpx

ବର୍ଷକୁ ୨ ଥର ବୋର୍ଡ ପରୀକ୍ଷାରେ ବସିପାରିବେ ଛାତ୍ରଛାତ୍ରୀ: ମାଟ୍ରିକ-ଦ୍ୱାଦଶ ପରୀକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା । ଏହା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ରୁ ଛାତ୍ରଛାତ୍ରୀମାନେ ଦୁଇ ଥର ଲେଖାଏଁ ବୋର୍ଡ ପରୀକ୍ଷା(ଦଶମ-ଦ୍ୱାଦଶ ପରୀକ୍ଷା)ରେ ବସିପାରିବେ । ଛତିଶଗଡ଼ରେ PM SHRI(ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଙ୍ଗ ଇଣ୍ଡିଆ) ଯୋଜନା ଆରମ୍ଭ କରିବା ପରେ ଏ ନେଇ ଘୋଷଣା କରିଛନ୍ତି ଶ୍ରୀ ପ୍ରଧାନ । ୨୦୨୫-୨୬ ଶିକ୍ଷାବର୍ଷରୁ ପିଲାମାନଙ୍କୁ ବର୍ଷକୁ ୨ ଥର ଲେଖାଏଁ ବୋର୍ଡ ପରୀକ୍ଷାରେ ବସିବା ପାଇଁ ସୁଯୋଗ ମିଳିପାରିବ । ଛାତ୍ରଛାତ୍ରୀଙ୍କ ମନରେ ପଠପଢା ଚିନ୍ତାକୁ କମ୍ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

NEP ୨୦୨୦ ଅଧୀନରେ କେନ୍ଦ୍ରର ଯୋଜନାକୁ ନେଇ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ୨୦୨୫-୨୬ ଶିକ୍ଷାବର୍ଷରୁ ଚାତ୍ରଛାତ୍ରୀଙ୍କ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨ ଥର ବସିବା ପାଇଁ ସୁଯୋଗ ମିଳିପାରିବ । ଛତିଶଗଡ଼ରେ PM SHRI ଯୋଜନା ଅଧୀନରେ ରାଜ୍ୟର ୨୧୧ ଟି ସ୍କୁଲ ଅପଗ୍ରେଡ କରାଯିବ । ପ୍ରତିବର୍ଷ ସ୍କୁଲରେ ୧୦ ଦିନ ‘ନୋ ବ୍ୟାଗ୍’କୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟକଳାପ ସହିତ କଳା, ସଂସ୍କୃତି ଏବଂ କ୍ରୀଡ଼ା ସହ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ସୂଚନା ଥାଉ କି, ବର୍ଷକୁ ୨ ଥର ଲେଖାଏଁ ବୋର୍ଡ ପରୀକ୍ଷାରେ ବସିବା ନେଇ ଗତବର୍ଷ ଶିକ୍ଷା ମନ୍ତ୍ରାଳୟ ଘୋଷଣା କରିଥିଲା ।

ଗତ ବର୍ଷ ଅଗଷ୍ଟରେ ଶିକ୍ଷା ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ, ନୂତନ ପାଠ୍ୟକ୍ରମ ଫ୍ରେମୱାର୍କ(NCF) ଅନୁଯାୟୀ ବର୍ଷକୁ ଅତି କମରେ ଦୁଇଥର ବୋର୍ଡ ପରୀକ୍ଷା କରାଯିବ ଏବଂ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବାକୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ପାଇବେ। ଏହା ସେମାନଙ୍କ ପାଇଁ ସର୍ବୋତ୍ତମ ମାର୍କ ପାଇବା ପାଇଁ ମଧ୍ୟ ଏକ ଭଲ ବିକଳ୍ପ ହୋଇପାରିବ । ନୂଆ ଶିକ୍ଷାନୀତି ଅନୁସାରେ, ଛାତ୍ରଛାତ୍ରୀମାନଙ୍କୁ ଚିନ୍ତାମୁକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏହାସହିତ ପିଲାମାନଙ୍କୁ ଉତ୍ତମ ଗୁଣାବତ୍ତାପୂର୍ଣ୍ଣ ଶିକ୍ଷାର ସମୃଦ୍ଧି, ସଂସ୍କୃତି ସହ ଛାତ୍ରଛାତ୍ରୀମାନଙ୍କ ସୁସମ୍ପର୍କ ଏବଂ ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଏହି ନୂତନ ଶିକ୍ଷାନୀତିର ପ୍ରଧାନ ଲକ୍ଷ୍ୟ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢିତୋଳିବା ପାଇଁ ଏହାକୁ ଏକ ସୂତ୍ର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.