fbpx

ଆସୁଛି ପାର୍ବଣ ଋତୁ, ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସେକ୍ଟରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି: ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ବିଶ୍ୱ ଅର୍ଥନୀତି ଅଗ୍ରଗତୀରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରୁଛି । ବିଶ୍ୱର ବୃହତମ ଦେଶ ମାନଙ୍କ ମଧ୍ୟରୁ ଭାରତ ଏବେ ଚୀନ୍‌କୁ ପଛରେ ପକାଇ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ସମୟରେ ଭାରତରେ ବିଭିନ୍ନ କ୍ଷେତ୍ରରେ ଆଖି ଦୃଶିଆ ଅଗ୍ରଗତି ମଧ୍ୟ ଦେଖିବାକୁ ମିଳୁଛି । ଆଗକୁ ପାର୍ବଣ ଋତୁ ଥିବା ବେଳେ ଏବେଠାରୁ ଭାରତୀୟ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଜୀବନ ବୀମା(ବିଏଫ୍‌ଏସ୍‌ଆଇ) କମ୍ପାନୀ ମାନଙ୍କରେ କ୍ରେଡିଟ୍ କାର୍ଡ ବିକ୍ରି, ବ୍ୟକ୍ତିଗତ ଋଣ ଏବଂ ବ୍ୟବସାୟିକ ଋଣ ଆଦି ବଢିବାରେ ଲାଗିଲାଣି । ଏହି ସକ୍ରିୟ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦ୍ୱିତୀୟ ଭାଗରେ ଭାରତୀୟ ଫିନ୍‌ଟେକ୍ କ୍ଷେତ୍ରରେ ୫୦,୦୦୦ ଅସ୍ଥାୟୀ ନିଯୁକ୍ତି ହେବ ବୋଲି ପୁର୍ବାନୁମାନ କରିଛି ଟିମ୍‌ଲିଜ୍ ।

ବିଏଫ୍‌ଏସ୍‌ଆଇ ସେକ୍ଟର ଅନୁଯାୟୀ କେବଳ ପୁନେ, ବାଙ୍ଗଲୋର, ଅହମ୍ମଦାବାଦ ଏବଂ କୋଲକାତା ଭଳି ଟାୟାର-୧ ସହର ନୁହେଁ ବରଂ ଟାୟାର-୨ ଏବଂ ଟାୟାର-୩ ରେ କୋଚି, ଭାଇଜାଗ, ମଦୁରାଇ, ଚଣ୍ଡୀଗଡ଼, ଅମୃତସର, ଭୋପାଳ ଏବଂ ରାୟପୁର ଭଳି ସହର ଗୁଡ଼ିକରେ ମଧ୍ୟ ଏହି ଚାହିଦା ନିରନ୍ତର ବୃଦ୍ଧି ପାଇଛି ।

ଯେହେତୁ କ୍ରେଡିଟ୍ କାର୍ଡ କାରବାର ବୃଦ୍ଧି ପାଉଛି, ଏହାକୁ ଆଧାର କରି ଭାରତରେ ବ୍ୟକ୍ତିଗତ ଫାଇନାନ୍ସ କମ୍ପାନି ବୃଦ୍ଧି ପାଉଛି ଏବଂ ଭାରତର ଡିଜିଟାଲ୍ ପେମେଣ୍ଟ୍ ମଧ୍ୟ ବିସ୍ତାର କରୁଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ୫-୬ ମାସ ମଧ୍ୟରେ ଭାରତର ଫିନଟେକ୍ କ୍ଷେତ୍ରରେ ଆଗକୁ ବଡ଼ ନିଯୂକ୍ତି ସୁଯୋଗ ରହିଛି । କେବଳ ଗତ ଦୁଇ ମାସ ମଧ୍ୟରେ ଆମେ ପ୍ରାୟ ୨୫,୦୦୦ ର ନୂଆ ନିଯୁକ୍ତି ହୋଇଛନ୍ତି ଏବଂ ଆସନ୍ତା ମାସରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ ବୋଲି ଟିମ୍ ଲିଜ୍ ସର୍ଭିସେସ୍ ଉପାଧ୍ୟକ୍ଷ ତଥା ବିଜନେସ୍ ହେଡ୍ ବିଏଫ୍‌ଏସ୍‌ଆଇ କୃଷ୍ଣେନ୍ଦ୍ର ଚାଟାର୍ଜୀ କହିଛନ୍ତି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଏଫ୍‌ଏସ୍‌ଆଇ ସେକ୍ଟର ଏହି ନିଯୁକ୍ତି ଉତ୍ସବରେ ଅଧିକରୁ ଅଧିକ ଉପଭୋକ୍ତା କାର୍ଯ୍ୟକଳାପକୁ ପୂରଣ କରିବା ପାଇଁ ନିଯୁକ୍ତି ପ୍ରୟାସକୁ ସକ୍ରିୟ ଭାବରେ ବୃଦ୍ଧି କରୁଛି ।

ସେହିଭଳି ଏହି ସମୟରେ ଅସ୍ଥାୟୀ କର୍ମଚାରୀ ମାନଙ୍କର ଆୟ ଗତବର୍ଷ ତୁଳନାରେ ୭ରୁ ୧୦ ପ୍ରତିଶତ ବୃଦ୍ଧି ପାଇବ । ଟିମ୍ ଲିଜ୍ ରିପୋର୍ଟ ଅନୁଯାୟୀ ଅସ୍ଥାୟୀ ଭାବେ ନିଯୁକ୍ତ ହେବାକୁ ଥବା ଏହି କର୍ମଚାରୀ ମାନଙ୍କର ଦରମା ଦିଲ୍ଲୀ ସହରରେ ୨୦ ହଜାରରୁ ୨୨ ହଜାର, କୋଲକାତାରେ ୧୬ ହଜାର ରୁ ୧୮ ହଜାର, ମୁମ୍ବାଇରେ ୨୦ ହଜାରରୁ ୨୨ ହଜାର, ଚେନ୍ନାଇରେ ୧୮ ହଜାର ରୁ ୨୦ ହଜାର ଏବଂ ବାଙ୍ଗଲୋର ସହରରେ ୨୦ ହଜାର ରୁ ୨୨ ହଜାର ରହିବ ।

ଫିନ୍‌ଟେକ୍ କମ୍ପାନୀମାନେ ପାର୍ବଣ ଋତୁ ପୂର୍ବରୁ, ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କ୍ଷେତ୍ର ସକ୍ରିୟ ଭାବରେ ଉଚ୍ଚ କୁଶଳୀ ତଥା ଗ୍ରାହକ-କେନ୍ଦ୍ରିତ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କର୍ମକ୍ଷେତ୍ରକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଦକ୍ଷ କର୍ମଚାରୀମାନେ କମ୍ପାନୀ ମାନଙ୍କର କାର୍ଯ୍ୟ ନିଶ୍ଚିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ଏବଂ ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଗ୍ରାହକମାନଙ୍କୁ ଏକ ଭଲ ଅଭିଜ୍ଞତା ପ୍ରଦାନ କରିବେ। ଯାହା ଦ୍ୱାରା ସେମାନଙ୍କୁ କ୍ରେଡିଟ୍ କାର୍ଡ ବ୍ୟବହାର ବୃଦ୍ଧି ଏବଂ ବିକ୍ରୟ, ବ୍ୟକ୍ତିଗତ ଋଣ ସହିତ କମ୍ପାନୀର ସଫଳତା ପାଇଁ ସହାୟକ ହେବା ସହିତ ଗ୍ରାହକଙ୍କ ସନ୍ତୁଷ୍ଟି ନିଶ୍ଚିତ କରିବେ ବୋଲି ଚାଟାର୍ଜୀ ଯୋଗ ଦେଇଛନ୍ତି।

ଇ-କମର୍ସ, ଖୁଚୁରା, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍, ଏବଂ ସ୍ମାର୍ଟଫୋନ୍ ପରି କ୍ଷେତ୍ରଗୁଡିକରେ ଆଗକୁ ପାର୍ବଣ ଋତୁରେ ଚାହିଦା ବଢିବାକୁ ଥିବା ବେଳେ ଏହି ସମୟରେ କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଋଣ ଏବଂ ବୀମା ଉତ୍ପାଦର ଚାହିଦା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

Get real time updates directly on you device, subscribe now.