ଦିଲ୍ଲୀ ମଲ୍‌ ଅଗ୍ନିକାଣ୍ଡରେ ଚାଲିଗଲା UPSC ଆଶାୟୀଙ୍କ ମୃତ୍ୟୁ: ଶେଷ ବାର୍ତ୍ତାରେ ଭାଇଙ୍କୁ କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀର କାରୋଲ ବାଗ ଅଞ୍ଚଳରେ ଥିବା ବିଶାଲ ମେଗା ମାର୍ଟରେ ଶୁକ୍ରବାର ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡରେ ୨୫ ବର୍ଷୀୟ UPSC ପ୍ରାର୍ଥୀ କୁମାର ଧୀରେନ୍ଦ୍ର ପ୍ରତାପଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାର ଏହି ଯୁବକ ଗତ ପାଞ୍ଚ ବର୍ଷ ଧରି ଦିଲ୍ଲୀରେ ରହି UPSC ପରୀକ୍ଷାର ପ୍ରସ୍ତୁତି କରୁଥିଲେ। ଅଗ୍ନିକାଣ୍ଡ ସମୟରେ ସେ ଲିଫ୍ଟ ଭିତରେ ଫସି ରହିଥିଲେ, ଯେଉଁଠାରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି।

ଧୀରେନ୍ଦ୍ର କାରୋଲ ବାଗରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ବଡ଼ ଭାଇ ବୀରେନ୍ଦ୍ର ବିକ୍ରମ କହିଛନ୍ତି ଯେ, ପ୍ରିଲିମ୍ସ ପରୀକ୍ଷା ପରେ ଘରେ କିଛି ଦିନ ବିଶ୍ରାମ ନେଇ ଧୀରେନ୍ଦ୍ର ଦିନକ ପୂର୍ବେ ଦିଲ୍ଲୀ ଫେରିଥିଲେ। ଶୁକ୍ରବାର ସନ୍ଧ୍ୟା ୬:୫୧ରେ ଧୀରେନ୍ଦ୍ର ତାଙ୍କ ଭାଇଙ୍କୁ ଏକ ବାର୍ତ୍ତା ପଠାଇ କହିଥିଲେ, “ଭାଇ, ମୁଁ ଲିଫ୍ଟରେ ଫସିଛି, ଶ୍ୱାସ ଫୁଲୁଛି। କିଛି କର…” ଏହା ଥିଲା ତାଙ୍କର ଶେଷ ବାର୍ତ୍ତା। ବୀରେନ୍ଦ୍ର ତୁରନ୍ତ ପୋଲିସକୁ ଖବର ଦେଇଥିଲେ, କିନ୍ତୁ ଘଣ୍ଟା ଘଣ୍ଟା ଧରି କୌଣସି ସାହାଯ୍ୟ ମିଳିନଥିଲା।

ବୀରେନ୍ଦ୍ର କହିଛନ୍ତି, “ଧୀରେନ୍ଦ୍ର କେବେ ବିଶାଲ ମେଗା ମାର୍ଟକୁ ଯାଇ ନଥିଲେ। ଯଦି ସେ ମୋତେ ମେସେଜ ନକରିଥାନ୍ତେ, ଆମେ ଜାଣି ପାରିନଥାନ୍ତୁ ସେ କେଉଁଠାରେ ଅଛନ୍ତି।” ସେ ଅଭିଯୋଗ କରିଛନ୍ତି ଯେ, ମଲ୍‌ରେ କୌଣସି ଅଗ୍ନି ସଂକେତ ବ୍ୟବସ୍ଥା କିମ୍ବା ଜରୁରୀ ପ୍ରସ୍ଥାନ ଦ୍ୱାର ନଥିଲା। ଅଗ୍ନିକାଣ୍ଡ ଆରମ୍ଭ ହେବା ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା, ଯାହା ଧୀରେନ୍ଦ୍ରଙ୍କୁ ଲିଫ୍ଟ ଭିତରେ ଫସାଇ ଦେଇଥିଲା।

ବୀରେନ୍ଦ୍ର କହିଛନ୍ତି, “ମୁଁ ମୋ ଭାଇର ମୃତଦେହ ଦେଖିବା ବେଳେ ତା’ର ନାକରୁ ରକ୍ତ ବାହାରୁଥିଲା। ଶ୍ୱାସରୁଦ୍ଧ ହୋଇ ମରିବା କେତେ ଯନ୍ତ୍ରଣାଦାୟକ ହୋଇଥାଏ, ତାହା କଳ୍ପନା କରନ୍ତୁ। ମୋ ପାଇଁ ସବୁକିଛି ଥିବା ଭାଇଟି ଧୁଆରେ ଜଳି ମରିଗଲା।”

ସ୍ଥାନୀୟ ଅଗ୍ନିଶମ ବିଭାଗ ପୋଲିସ ଓ ବିପର୍ଯ୍ୟୟ ପ୍ରତିକାର ଦଳର ସହାୟତାରେ ଧୀରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା। ଶୁକ୍ରବାର ସନ୍ଧ୍ୟା ୬:୪୪ରେ ଏକ ଶର୍ଟ ସର୍କିଟ କାରଣରୁ ମଲ୍‌ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଭାବେ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ନିଆଁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ନିଆଁ  ଦ୍ରୁତ ଗତିରେ ସମଗ୍ର ଷ୍ଟୋରରେ ବ୍ୟାପି ଯାଇଥିଲା।

୧୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚି ରାତି ୯ଟା ପର୍ଯ୍ୟନ୍ତ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣା ବାଣିଜ୍ୟିକ କେନ୍ଦ୍ରଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଅଭାବକୁ ପ୍ରକାଶ କରିଛି ଏବଂ ଏକ ଯୁବକଙ୍କ ସ୍ୱପ୍ନ ଓ ଜୀବନକୁ ଅକାଳରେ ଶେଷ କରିଦେଇଛି।