(Video) ଇସାରା ଦେଲେ ଭୁବନେଶ୍ୱର, ଠିକ ସେହି ଷ୍ଟାଇଲରେ ଆଉଟ ହେଲେ ବ୍ୟାଟ୍ସମ୍ୟାନ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଇପିଏଲ ୬୨ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ପ୍ଲେଅଫରେ ପହଞ୍ଚିଛି ଭୁଜୁରାଟ ଟାଇଟନ୍ସ । ତେବେ ହାଇଦ୍ରାବାଦ ମ୍ୟାଚରେ ପରାଜୟ ବରଣ କରିଥିଲେ ବି ଦଳର ଉପ-ଅଧିନାୟକ ତଥା ଷ୍ୟାର ବୋଲର ଭୁବନେଶ୍ୱର କୁମାର ଏକ ଦମଦାର ସ୍ପେଲ ବୋଲିଂ କରିଛନ୍ତି । ୪ ଓଭରରେ ମାତ୍ର ୩୦ ରନ୍ ଦେଇ ୫ଟି ୱିକେଟ ହାସଲ କରିଛନ୍ତି । ଯେଉଁଥିରେ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଶତକବୀର ଶୁଭମନ ଗିଲଙ୍କୁ ମଧ୍ୟ ଶିକାର କରିଥିଲେ ଭୁବି । ତେବେ ବର୍ତ୍ତମାନ ଭୁବନେଶ୍ୱରଙ୍କ ଏହି ସ୍ପେଲର ଏକ ଭିଡିଓ ଖୁବ ଭାଇରାଲ ହେଉଛି ।

ବଲକୁ ଉଭୟ ଦିଗରେ ସ୍ୱିଙ୍ଗ କରିବାର କ୍ଷମତା ରଖିଥିବାରୁ ଭୁବନେଶ୍ୱର କୁମାରଙ୍କୁ ସ୍ୱିଙ୍ଗର ରାଜକୁମାର ବୋଲି ମଧ୍ୟ କୁହାଯାଏ । ତେବେ ଗୁଜୁରାଟ ବିପକ୍ଷ ମ୍ୟାଚରେ ତାଙ୍କର ଏପରି ଏକ ଚାଲ୍ ସାମନାକୁ ଆସିଛି । ପୁରୁଣା ଅନ୍ଦାଜରେ ବଲକୁ ସ୍ୱିଙ୍ଗ କରି ସେ ହାସଲ କରିଛନ୍ତି ଏକ ବଡ ୱିକେଟ । ଗୁଜୁରାଟ ଟାଇଟନ୍ସର ଷ୍ୟାର ଓପନର ରିଦ୍ଧିମାନ ସାହାଙ୍କୁ ସେ ନିଜ ପ୍ଲାନର ଶିକାର କରିଛନ୍ତି । ଇନିଂସର ତୃତୀୟ ବଲରେ ସାହାଙ୍କୁ ସେକେଣ୍ଡ ସ୍ଲିପରେ କ୍ୟାଚ କରାଇ ଆଉଟ କରିଥିଲେ ଭୁବନେଶ୍ୱର । କିନ୍ତୁ ଏହା ପୂର୍ବରୁ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓରେ ସେ ସାହାଙ୍କୁ ଆଉଟ କରିବା ପାଇଁ ଯୋଜନା କରୁଥିବାର ଦେଖାଯାଇଛି । ବଲ କରିବା ପୂର୍ବରୁ ଅଧିନାୟକ ମାର୍କରମଙ୍କୁ ଇସାରା କରି ସେକେଣ୍ଡ ସ୍ଲିପ ମାଗିଥିଲେ ଭୁବି । ମାର୍କରମ ମଧ୍ୟ ଭୁବିଙ୍କ କଥାକୁ ସମ୍ମାନ ଦେଇ ସେକେଣ୍ଡ ସ୍ଲିପରେ ଫିଲ୍ଡରଙ୍କୁ ଲଗାଇଥିଲେ ।

ପରବର୍ତ୍ତୀ ବଲ ଭୁବି ଅଫ ଷ୍ଟମ୍ପ ବାହାରେ ପକାଇଥିଲେ, ଯେଉଁ ବଲରେ ସାହା ଦ୍ୱିତୀୟ ସ୍ଲି ଫିଲ୍ଡର ହାତରେ କ୍ୟାଚ ହୋଇଛନ୍ତି । ଭୁବି ମାର୍କରମଙ୍କୁ ଯେଉଁଭଳି ଇସାରା କରିଥିଲେ, ଠିକ ସେହି ଷ୍ଟାଇଲରେ ପାଭିଲିୟନ ଫେରିଥିଲେ ରିଦ୍ଧିମାନ ସାହା । ତେବେ ବର୍ତ୍ତମାନ ଭୁବନେଶ୍ୱରଙ୍କର ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଅନେକଲୋକ ଏହାକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । ତେବେ ଭୁବନେଶ୍ୱର ଏହି ମ୍ୟାଚରେ ମୋଟ ୫ଟି ୱିକେଟ ହାସଲ କରିଥିବା ବେଳେ ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।