କଂଗ୍ରେସ ପାଇଁ ବଡ଼ ସୁଯୋଗ: ଆଇନ ଓ ରାଜନୀତିର ଯୁଦ୍ଧ ଆରମ୍ଭ କରିବେ ରାହୁଲ, ଖୁବଶୀଘ୍ର କୋର୍ଟରେ ଦାୟର ହେବ ଯାଚିକା

ନୂଆଦିଲ୍ଲୀ: ଏକ ପୁରୁଣା ମାମଲାର ଶୁଣାଣି କରି ଗତ ୨୩ ତାରିଖରେ ସୂରତର ସେଶନ କୋର୍ଟ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ତା’ପର ଦିନ ୨୪ ତାରିଖରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ରାହୁଲ ସାଂସଦ ପଦ ହରାଇବା ପରେ ଏହା ପରେ ଦେଶର ପ୍ରମୁଖ ବିରୋଧୀ ଦଳମାନେ ବିଜେପି ବିରୋଧରେ ରଣହୁଙ୍କାର ଆରମ୍ଭ କରିଦେଇଛନ୍ତି । ଯଦି ରାହୁଲ ସୁରକ୍ଷିତ ନୁହନ୍ତି, ଆଗକୁ ସେମାନଙ୍କ ପାଳି ପଡ଼ିପାରେ ବୋଲି ସେମାନେ ଆଶଙ୍କା କଲେଣି ।

ଏହା ପୂର୍ବରୁ ମଧ୍ୟ ୯ଟି ବିରୋଧୀ ଦଳର ନେତା ସିବିଆଇ, ଇଡିର ଦୂରୁପଯୋଗ କରାଯାଇଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଥିଲେ । ତେବେ କଂଗ୍ରେସର ଷ୍ଟାର ନେତା ରାହୁଲଙ୍କ ବିରୋଧରେ ବିଜେପି ଜାଣିଶୁଣି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହର କରୁଥିବା କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ ବାଢ଼ିଛନ୍ତି । ଏହା ମଧ୍ୟରେ କଂଗ୍ରେସ ରାହୁଲଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବାବେଳେ ନିର୍ବାଚନ ଆୟୋଗ ଏହା ମଧ୍ୟରେ କେରଳର ୱାୟନାଡରେ ଉପନିର୍ବାଚନ କରାଇବାକୁ ପ୍ରସ୍ତୁତ ହେଲେଣି । ଏଥିସହିତ ରାହୁଲ ସରକାରୀ ବଙ୍ଗଳା ଛାଡ଼ିବା ନେଇ କେନ୍ଦ୍ର ସରକାର ନୋଟିସ୍ ପଠାଇଥିବା ବେଳେ ରାହୁଲ ଏହାକୁ ଗ୍ରହଣ କରିନେଇଛନ୍ତି । ସଂସଦ ଭିତରେ କି ବାହାରେ ଥିଲେ ବି ସେ ଲଢ଼େଇ ଜାରି ରଖିବେ ବୋଲି ରୋକଠୋକ କହିଛନ୍ତି ।

ଗତ ୨୦୧୯ ମସିହାରେ କର୍ଣ୍ଣାଟକ ଗସ୍ତ ଅବସରରେ ‘ସବୁ ଚୋରଙ୍କର ମୋଦୀ ସରନେମ କାହିଁକି ରହିଛି’ ବୋଲି ରାହୁଲ ବୟାନ ଦେଇଥିଲେ । ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ମାମଲା ଦାୟର କରିଥିଲେ । ୪ ବର୍ଷ ତଳର ଉକ୍ତ ମାମଲାର ନିଷ୍ପତ୍ତି ଆଜି ରାହୁଲଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧମାଳ ମଧ୍ୟକୁ ଠେଲି ଦେଇଛି । ସୂରତ ସେଶନ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଦଣ୍ଡାଦେଶ ଶୁଣାଇବା ପରେ ସଙ୍ଗେସଙ୍ଗେ ୩୦ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ । ଯଦି ଜଣେ ସାଂସଦ କି ବିଧାୟକ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସମୟ ପାଇଁ ସଜ୍ଜା କାଟନ୍ତି, ତେବେ ତାଙ୍କର ସଂସଦ ଓ ବିଧାନସଭାର ସଭ୍ୟ ପଦ ରଦ୍ଦ ହୋଇଯିବା ନେଇ ନିୟମ ରହିଛି ।

ତେବେ ଆଗକୁ ମାତ୍ର ୩୦ ଦିନ ସମୟ ରହିଥିବା ବେଳେ ରାହୁଲ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିପାରିବେ । ଯଦି ତାଙ୍କୁ ହାଇକୋର୍ଟ କି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳେ, ତେବେ ସେ ପୁଣି ତାଙ୍କର ସଦସ୍ୟତା ଫେରି ପାଇବେ । ମାତ୍ର ଯଦି ଆଶ୍ୱସ୍ତି ନମିଳେ, ଏପରି ସ୍ଥିତିରେ ସେ ମୋଟ ୮ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ପ୍ରକ୍ରିୟାରୁ ବଞ୍ଚିତ ହୋଇ ପାରନ୍ତି । ରାହୁଲଙ୍କ ପାଖରେ ଏବେ ୪ଟି ରାସ୍ତା ରହିଛି । ତେବେ ଏହା ମଧ୍ୟରେ କଂଗ୍ରେସ ଖୁବଶୀଘ୍ର କୋର୍ଟରେ ପିଟିସନ ଦାୟର କରିବ । ଆଇନ ଓ ରାଜନୀତିର ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ରାହୁଲ । କଂଗ୍ରେସର ଶୀର୍ଷ ପରାମର୍ଶଦାତାମାନେ ଏହି ଯାଚିକା ଉପରେ କାର୍ଯ୍ୟ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହାକୁ ଦିନେ ଦୁଇଦିନ ମଧ୍ୟରେ ସୂରତ ସେଶନ କୋର୍ଟରେ ଆଗତ କରାଯିବ । ଅନ୍ୟପକ୍ଷରେ ୱାୟନାଡ ଉପନିର୍ବାଚନ ସଙ୍ଗେସଙ୍ଗେ କରାଯିବନି ବୋଲି ନିର୍ବାଚନ ଆୟୋଗ କରିଛନ୍ତି ।

ଯଦିଓ ବର୍ତ୍ତମାନ ସମୟ ରାହୁଲଙ୍କ ପାଇଁ କଠିନ ରହିଛି, ତଥାପି ଏହା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ବୋଲି ଅନେକ ରାନୈତିକ ବିଶ୍ଲେଷକ ମତ ଦେଉଛନ୍ତି । ମୋଦୀଙ୍କର ପ୍ରଥମ ବିରୋଧୀ ଯେ ରାହୁଲ, ଏକଥା ଦେଶରେ ଓ ବିଦେଶରେ ସମସ୍ତେ ଜାଣିଛନ୍ତି । ତେଣୁ ରାହୁଲଙ୍କ ବିରୋଧରେ ଯଦି ବିଜେପି ଜାଣୁଶୁଣି ଏପରି ପଦକ୍ଷେପ ଗ୍ରହଣ କରୁଥାଏ, ତେବେ ତାହା ଆଗାମୀ ଦିନରେ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ । ରାଷ୍ଟ୍ରୀୟ ସ୍ତରରେ ଜଣେ ପ୍ରଭାବଶାଳୀ ନେତାର ଅଭାବ କାରଣରୁ ବିଭିନ୍ନ ରାଜ୍ୟରେ କଂଗ୍ରେସ ସୁପ୍ତ ଅବସ୍ଥାରେ ରହିଥିଲା । ମାତ୍ର ରାହୁଲଙ୍କ ସଦସ୍ୟତା ରଦ୍ଦ ଘଟଣା ଏବେ ପୁଣି ସାରା ଦେଶରେ କଂଗ୍ରେସ କର୍ମୀଙ୍କୁ ଜାଗ୍ରତ କରିଦେଇଛି । ଯଦି କଂଗ୍ରେସ ସଠିକ୍ ଢଙ୍ଗରେ ବିଜେପିର ଅପାରଗତାକୁ ଜନମାନସରେ ପହଞ୍ଚାଇ ପାରିବ, ତେବେ ତାହା ଦଳକୁ ଫାଇଦା ଦେଇପାରେ । ଆସନ୍ତା ମେ ମାସ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଶାସକ ବିଜେପିକୁ କଡ଼ା ଟକ୍କର ଦେଇ ପାରିଲେ ରାହୁଲଙ୍କ ସମସ୍ତ ବଳିଦାନ ସାର୍ଥକ ହେବ ।