ଅନଲାଇନ୍ ଗେମିଂ କମ୍ପାନୀକୁ ବଡ଼ ଆଶ୍ୱସ୍ତି, GST ନୋଟିସ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ଅନଲାଇନ୍ ଗେମିଂ କମ୍ପାନୀ ଉପରୁ GST କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ଶୁଣାଣି ଶେଷ ନହେବା ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ବିଭାଗ ଏବେ କୌଣସି ପଦକ୍ଷେପ ନେଇପାରିବ ନାହିଁ ।
ନୂଆଦିଲ୍ଲୀ: ଗେମିଂ କମ୍ପାନୀଗୁଡ଼ିକୁ ମିଳିଛି ବଡ଼ ଆଶ୍ୱସ୍ତି । ଅନଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ଜିଏସଟି ବିଭାଗ ଦ୍ୱାରା ଜାରି କରାଯାଇଥିବା ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ନୋଟିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି ।
ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ପରେ, ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଗେମିଂ କମ୍ପାନୀଗୁଡ଼ିକର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା ।
ପରବର୍ତ୍ତୀ ଶୁଣାଣି: ଜଷ୍ଟିସ୍ ଜେ. ବି. ପାରଦୀୱାଲା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୧୮ ମାର୍ଚ୍ଚ ୨୦୨୫ ତାରିଖ ଧାର୍ଯ୍ୟ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ GST ନୋଟିସ୍ ଉପରେ ସ୍ଥଗିତାଦେଶ ପରେ, ଡେଲ୍ଟା କର୍ପ ଷ୍ଟକ୍ ରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଥିଲା ଏବଂ ଷ୍ଟକ୍ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୧୩୧.୨୦ ଟଙ୍କାରେ ପହଞ୍ଚିଥିଲା, ଯାହା ପୂର୍ବ ବାଣିଜ୍ୟ ଅଧିବେଶନରେ ୧୧୩ ଟଙ୍କାରେ ବନ୍ଦ ହୋଇଥିଲା ।
ନଜାରା ଟେକ୍ନୋଲୋଜିସର ସେୟାର ମଧ୍ୟ ଏକ ଜୋରଦାର ବୃଦ୍ଧି ପରିଲିକ୍ଷିତ ହୋଇଥିଲା ଏବଂ ସେୟାର ମୂଲ୍ୟ ୧୦୭୭ ଟଙ୍କାରେ ପହଞ୍ଚିଲା । ନଜାରାର ସେୟାରରେ ୮.୭୮ ପ୍ରତିଶତ ବୃଦ୍ଧି ଘଟିଛି ।
GST ପାଇଁ ଦୌଡ଼ିଥିଲେ ସୁପ୍ରିମକୋର୍ଟ:
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ, ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ବ୍ୟତୀତ, ଅନ୍ୟ ଗେମିଂ କମ୍ପାନୀ Gameskraft ଏବଂ Games 24×7କୁ ମଧ୍ୟ ଆଶ୍ୱସ୍ତି ମିଳିଛି। ଗେମ୍ସ 24×7 , ହେଡ୍ ଡିଜିଟାଲ୍ ୱାର୍କସ୍, ଫେଡେରେସନ ଅଫ୍ ଇଣ୍ଡିଆନ୍ ଫ୍ୟାଣ୍ଟାସି ସ୍ପୋର୍ଟସ୍ ଭଳି ଅନେକ ଅନଲାଇନ୍ ଗେମିଂ କମ୍ପାନୀ GST ଲାଗୁକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଟିକସ ଦାବି ସମ୍ପର୍କରେ GST ବିଭାଗ ଏହି ଗେମିଂ କମ୍ପାନୀଗୁଡ଼ିକୁ ଏକ ନୋଟିସ ଜାରି କରିଥିଲା । ସୁପ୍ରିମକୋର୍ଟରେ ଶୁଣାଣି ଶେଷ ନହେବା ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ବିଭାଗ ଏବେ କୌଣସି ପଦକ୍ଷେପ ନେଇପାରିବ ନାହିଁ । ଜିଏସଟି ବିଭାଗ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏନ. ଭେଙ୍କଟରାମନ୍ କୋର୍ଟରେ ହାଜର ହୋଇଥିଲେ । ସେ କହିଛନ୍ତି ଯେ ଫେବୃଆରୀରେ କିଛି କାରଣ ଦର୍ଶାଅ ନୋଟିସର ଅବଧି ଶେଷ ହେବ ।
ଜାଣନ୍ତୁ ମାମଲା: ଅକ୍ଟୋବର ୨୦୨୩ରେ, ୧.୧୨ ଲକ୍ଷ କୋଟି ଟଙ୍କାର GST ଠକେଇ ପାଇଁ ଅନଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।
ସରକାର GST ଆଇନରେ ମଧ୍ୟ ସଂଶୋଧନ କରିଥିଲେ । ଯଦ୍ଵାରା ବିଦେଶୀ ଅନଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ୧ ଅକ୍ଟୋବର ୨୦୨୩ ଠାରୁ ଭାରତରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା ।
ଅଗଷ୍ଟ ୨୦୨୩ରେ, GST ପରିଷଦ ସ୍ପଷ୍ଟ କରିଥିଲା ଯେ ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ଲଗାଯାଇଥିବା ବାଜିର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮ ପ୍ରତିଶତ GST ଲାଗୁ ହେବ । ଗେମିଂ କମ୍ପାନୀଗୁଡ଼ିକ ଏହା ବିରୁଦ୍ଧରେ ବିଭିନ୍ନ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।
ଗତ ବର୍ଷ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଗ୍ରହଣ କରିଥିଲେ ଏବଂ ଇ-ଗେମିଂ କମ୍ପାନୀଗୁଡ଼ିକ ଉପରେ ୨୮ ପ୍ରତିଶତ GST ଲାଗୁକୁ ଚ୍ୟାଲେଞ୍ଜ କରି ନଅଟି ହାଇକୋର୍ଟରେ ଦାୟର ଆବେଦନଗୁଡ଼ିକୁ ନିଜ ପାଖକୁ ସ୍ଥାନାନ୍ତର କରିଥିଲେ ।