fbpx

ପରୀକ୍ଷା ଖାତାରେ ପ୍ରେମିକାକୁ ଚିଠି, ଇଣ୍ଟର ଓ ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଅଜବ କାରନାମା

ପାଟନା: ବିହାର ବିଦ୍ୟାଳୟ ସମିତି ଦ୍ୱାରା ଆୟୋଜିତ ଇଣ୍ଟର ଓ ମାଟ୍ରିକ୍ ପରୀକ୍ଷା ଶେଷ ହେବା ପରେ ଏବେ ପରୀକ୍ଷା ଖାତା ଯାଞ୍ଚ କରାଯାଉଛି । ଏହି କ୍ରମରେ ପରୀକ୍ଷା ଖାତାରେ କିଛି ପିଲା ଉତ୍ତର ଦେବା ପରିବର୍ତ୍ତେ ଅଜବ ଅଜବ କାରନାମା କରି ଦେଖାଇଛନ୍ତି । କିଛି ଛାତ୍ର ପରୀକ୍ଷା ଖାତାରେ ପ୍ରଶ୍ନର ଉତ୍ତର ଲେଖିବା ପରିବର୍ତ୍ତେ ଲେଖିଛନ୍ତି, ମୁଁ ଗରୀବ ଅଟେ, ତେଣୁ ମୋତେ ପାସ୍ କରାଇ ଦିଅନ୍ତୁ । କିଛି ଛାତ୍ରୀ ଲେଖିଛନ୍ତି, ଗୁରୁଜୀ ମୋତେ ପାସ୍ କରାଇ ଦିଅନ୍ତୁ ନ ହେଲେ ବାପା ବାହା କରିଦେବେ । କିନ୍ତୁ ଜଣେ ଛାତ୍ର ଉତ୍ତର ଖାତାର ପୁରା ପରିଦୃଶ୍ୟ ବଦଳାଇ ଦେଇଛି । ଛାତ୍ର ଜଣକ ଖାତାରେ ପ୍ରେମ ଉପରେ ଏପରି ରଚନା ଲେଖିଛି ଯାହା ଭାଷାରେ ବର୍ଣ୍ଣନା କରିବା ବି କଷ୍ଟ । ନିଜ ପ୍ରେମିକା ଉଦ୍ଦେଶ୍ୟରେ ପିଲାଟି ଲେଖିଛି, ଆମ ପ୍ରେମ ଅମର ରହିବ..! ଏହି କପି ଦେଖିବା ପରେ କେବଳ ଶିକ୍ଷକ ନୁହଁନ୍ତି ଯେ କେହିବି ଲାଜରେ ଜଳିଯିବ ।

ଭୋଜପୁର ଜିଲ୍ଲାର ମଡେଲ ସ୍କୁଲ, ଡାକ୍ତର ନେମିଚନ୍ଦ ଶାସ୍ତ୍ରୀ, ହର ପ୍ରସାଦ ଦାସ ଜୈନ ସ୍କୁଲ, ଜିଲ୍ଲା ସ୍କୁଲରେ ବିହାର ବୋର୍ଡ ମାଟ୍ରିକ୍ ଓ ଇଣ୍ଟର ପରୀକ୍ଷା ଖାତା ଯାଞ୍ଚ ସମୟରେ ଶିକ୍ଷକଙ୍କୁ ଏପରି ବହୁ ଉତ୍ତର ଖାତା ମିଳିଛି ଯେଉଁଥିରେ ଛାତ୍ର ଅଜବ ଅଜବ ଉତ୍ତର ଲେଖିଛନ୍ତି । ପରୀକ୍ଷାର୍ଥୀ ଖାତାରେ ମଜାଦାର ସାୟରୀ, କବିତା ଓ ଇମୋସନାଲ ନୋଟସ୍ ମଧ୍ୟ ଲେଖି ଦେଇଛନ୍ତି । ଯାଞ୍ଚ ସମୟରେ ଜଣେ ଛାତ୍ର ଖାତାରେ ଏହା ଲେଖିଛନ୍ତି କି, ମୁଁ ବହୁତ ଗରିବ ଅଟେ । ମୋ ମା’ ଅନ୍ୟର ଘରେ କାମ କରି ପରିବାର ଚଳାଉଛି । ଦୟାକରି ମୋତେ ପାସ୍ କରାଇ ଦିଅନ୍ତୁ ।

ଉତ୍ତର ଖାତାରେ ପିଲାମାନେ ଏପରି ଲେଖିବା ଅକ୍ଷମଣୀୟ ବୋଲି କହିଛନ୍ତି ଶିକ୍ଷକ । ଅଖିଳେଶ ପ୍ରସାଦ ନାମକ ଜଣେ ଶିକ୍ଷକ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କର ଏପରି ଆଚରଣ ଆଦୌ ଠିକ୍ ନୁହେଁ । ସେମାନେ ଇମୋସନାଲି ଶିକ୍ଷକଙ୍କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଛନ୍ତି । ଏଥର ପରୀକ୍ଷାରେ କପି ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଯେଉଁ ପିଲାମାନେ ପାଠ ପଢିନାହାନ୍ତି ସେମାନେ ପରୀକ୍ଷା ଖାତାରେ କବିତା, ସାୟରୀ, ପ୍ରାର୍ଥନା ଆଦି ଲେଖି ଦେଇଛନ୍ତି ।

Get real time updates directly on you device, subscribe now.