fbpx

ପ୍ରଭାବ ଦେଖାଇଲାଣି ବିପର୍ଯ୍ୟୟ, ଗୁଜୁରାଟର ବିଭିନ୍ନ ସ୍ଥାନରେ ଗଛ ପଡି ୪ ଜଣଙ୍କ ଜୀବନହାନୀ

Advertisement

ନୂଆଦିଲ୍ଲୀ: ୧୫ ଜୁନ୍ ରେ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ଏହି ପ୍ରବଳ ଘୂର୍ଣ୍ଣିଝଡ ସଂପୂର୍ଣ୍ଣ ଭାବରେ ପହଞ୍ଚିବାକୁ ଆହୁରି ସମୟ ବାକି ଥିବା ବେଳେ ଆଜି ସକାଳୁ ଏହାର ପ୍ରଭାବ ଗୁଜୁରାଟର କଚ୍ଛ ଓ ସୌରାଷ୍ଟ୍ରରେ ଦେଖିବାକୁ ମିଳିଲାଣି । ଏହି ଅଞ୍ଚଳରେ ଦ୍ରୁତ ଗତିରେ ପବନ ବହି ଗଛ ପତ୍ର ଉପୁଡିବାରେ ଲାଗିଲାଣି । ଭୂଜ ଅଞ୍ଚଳରେ ଏକ ପାଚେରୀ ଭାଙ୍ଗି ପଡିବାରୁ ଏକ ୪ ବର୍ଷର ଝିଅ ଓ ୬ ବର୍ଷର ପୁଅ ମୃତ୍ୟୁର ଶିକାର ହୋଇଛନ୍ତି । ସେହିପରି ରାଜକୋଟ ଜସଦଣ ଇଲାକାରେ ଏକ ସ୍କୁଟର ଉପରେ ବଡ ଏକ ଗଛ ପଡି ସ୍ୱାମୀ ସହ ପଛ ସିଟ୍ରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେହିପରି କେରଳର ଥିରୁବନନ୍ତପୁରମରେ ମଧ୍ୟ ଗତ ରାତି ଠାରୁ ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ମୁମ୍ବାଇ ସ୍ଥିତ ସମୁଦ୍ରରେ ମଧ୍ୟ ବଡ ବଡ ଲହରୀ ଦେଖିବାକୁ ମିଳିଛି ।

ଘୂର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ଗୁଜୁରାଟର ଉତ୍ତର ଓ ଦକ୍ଷିଣ ତଟୀୟ କ୍ଷେତ୍ରରେ ସମୁଦ୍ର ସମ୍ବନ୍ଧିତ ଯେକୌଣସି ଗତିବିଧି ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହା ସହିତ ଏହି ସମସ୍ତ ଅଞ୍ଚଳରୁ ଲୋକଙ୍କୁ ଏବେ ସ୍ଥାନାନ୍ତର କରାଯାଉଛି । ଏ ପର୍ଯ୍ୟନ୍ତ ପ୍ରାୟ ୧୭୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇ ସାରିଲାଣି । ତେବେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ମୋଟ ୧୦,୦୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏହି ଘୂର୍ଣ୍ଣିଝଡ କ୍ରମଶଃ ବିକଟାଳ ରୂପ ଧାରଣ କରିବାରେ ଲାଗିଛି । ପ୍ରଚଣ୍ଡ ଘୂର୍ଣ୍ଣିଝଡ ବିପର୍ଯ୍ୟୟ ଗୁଜୁରାଟର କଚ୍ଛ ଜିଲ୍ଲା ଓ ପାକିସ୍ତାନର କରାଚୀ ତଟବର୍ତ୍ତୀ ଅଞ୍ଚଳ ଦେଇ ୧୫ ଜୁନ଼୍୍ରେ ଗତି କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୂର୍ଣ୍ଣିଝଡ ବିପର୍ଯ୍ୟୟକୁ ନେଇ ଏକ ସମୀକ୍ଷା ବୈଠକ ଡକାଇ ସମସ୍ତଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ କୁ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ନିୟୋଜିତ କରିଛନ୍ତି । ଏହା ସହ ୬ ଜିଲ୍ଲାରେ ଆଶ୍ରୟ କେନ୍ଦ୍ର ବି ଖୋଲାଯାଉଛି ।

Get real time updates directly on you device, subscribe now.