fbpx

ସଦନରେ ଓଡ଼ିଆ ଭାଷାରେ ନିଜ କଥା ରଖିଲେ ସାଂସଦ ପ୍ରମିଳା ବିଶୋୟୀ, ପ୍ରଶଂସା କଲେ ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଶୁନ୍ୟକାଳରେ ବିଜେଡ଼ିର ମହିଳା ସାଂସଦ ପ୍ରମିଳା ବିଶୋୟୀଙ୍କ ପାଇଁ ପ୍ରଥମଥର ଜୋରଦାର ତାଳି ବାଜିଥିଲା ଓ ଅଧ୍ୟକ୍ଷ ଓମ୍‌ ବିର୍ଲା ତାଙ୍କର ପ୍ରଶଂସା କରି କରିଥିଲେ । ଶୂନ୍ୟକାଳରେ ଶ୍ରୀ ବିର୍ଲା ଓଡିଶାର ଆସିକା ଲୋକସଭା ସାଂସଦ ପ୍ରମିଳା ବିଶୋୟୀଙ୍କୁ ତାଙ୍କ କଥା ରଖିବାକୁ ସୁଯୋଗ ଦେଇଥିଲେ । ଶ୍ରୀମତି ବିଷୋୟୀ ଓଡିଆ ଭାଷାରେ ତାଙ୍କ ପ୍ରସଙ୍ଗ ରଖିଥିଲେ । ସାଂସଦ ତାଙ୍କ କଥା ସମାପ୍ତ କରିବା ପରେ ଶ୍ରୀ ବିର୍ଲା କହିଥିଲେ ଏହା ହେଉଛି ଗଣତନ୍ତ୍ରର ଶକ୍ତି ।

ଶ୍ରୀ ବିର୍ଲା ଏହି କଥା ପ୍ରସଙ୍ଗରେ ସଦନରେ କହିଥିଲେ ଯେ ସେ ଦେଖୁଛନ୍ତି ମହିଳା ସାଂସଦ ସଦନରେ ତାଙ୍କ ଅଞ୍ଚଳର କଥା କହିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ତେଣୁ ସେ ଗୋଟିଏ ଦିନ ମହିଳା ସାଂସଦଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ତାଙ୍କ କଥା ଉଠାଇବାକୁ କହିଥିଲେ । କିନ୍ତୁ ଓଡିଆ ଭାଷା ଛଡା ଅନ୍ୟ ଭାଷା ଜାଣିନଥିବାରୁ ପ୍ରମିଳା ପଛଘୁଞ୍ଚା ଦେଉଥିଲେ । ଶ୍ରୀ ବିର୍ଲା ଏହି କଥାର ସମାଧାନର ରାସ୍ତା ବାହାର କରି ତାଙ୍କର ଜଣେ ଷ୍ଟାଫ୍‌ଙ୍କୁ ଡାକି ପ୍ରମିଳାଙ୍କର କଥାକୁ ଓଡିଆ ଭାଷାରେ ଲେଖିକି ଦେବାପାଇଁ କହିଥିଲେ । ଏହା ପରେ ପ୍ରମିଳା ବିଶୋୟୀ ପ୍ରଥମ ଥର ପାଇଁ ସଦନରେ ତାଙ୍କ କଥା ରଖିଛନ୍ତି ଓ ଗୁରୁବାର ସେ ନିଜେ ତାଙ୍କର ନୋଟ ତିଆରି କରି ଆତ୍ମବିଶ୍ୱାସର ସହ ଉପସ୍ଥାପନ କରିଛନ୍ତି । ଏହା ଗଣତନ୍ତ୍ର ଶକ୍ତି ବୋଲି ଶ୍ରୀ ବିର୍ଲା କହିଛନ୍ତି । ସଂସଦର ସମସ୍ତ ସଦସ୍ୟ ତାଙ୍କ ଟେବୁଲକୁ ଥାପୁଡାଇ ବିଷୋୟୀଙ୍କ ଅଭିବାଦନ ଜଣାଇଛନ୍ତି ।

ସାଂସଦ ଭର୍ତ୍ତୁହରି ମହତାବ ବିଶୋୟୀଙ୍କ ଓଡିଆରେ କହିଥିବା କଥାକୁ ହିନ୍ଦିରେ ଭାଷାରେ ପ୍ରକାଶ କରି କହିଥିଲେ ପ୍ରମିଳା କରୋନା ମହାମାରି ସ୍ଥିତିରେ ସୁଧାର ଆସିବା ପରର କଥା ଚର୍ଚ୍ଚା କରି କହିଛନ୍ତି ପୁରୁଷମାନେ ଅର୍ଥ ରୋଜଗାର କରିବାକୁ ଚାକିରି କିମ୍ବା କାମଧନ୍ଦା ପାଇଁ ବାହାରକୁ ଚାଲିଯାଇଛନ୍ତି । ଘରେ ଯେଉଁ ମହିଳାମାନେ ରହିଲେ ସେମାନଙ୍କ କଥା ସରକାର ଚିନ୍ତା କରିବା ଦରକାର । ମହତାବ ସଦନକୁ କହିଛନ୍ତି ପ୍ରମିଳା ହେଉଛନ୍ତି ଓଡିଶାର ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସ୍ୱୟଂ ସହାୟତା ଗୋଷ୍ଠିର ମୁଖିଆ ଓ ସେ ମହିଳାମାନଙ୍କୁ ବହୁମାତ୍ରାରେ ଆତ୍ମ ନିର୍ଭରଶୀଳ କରିବା ପାଇଁ କାମ କରୁଛନ୍ତି । ଶ୍ରୀ ବିର୍ଲା କହିଛନ୍ତି ଯେ,ପ୍ରମିଳା ବିଶୋୟୀଙ୍କର ଆଗ୍ରହ ରହିଛି ଏବେ ପ୍ରତିଦିନ ତାଙ୍କୁ କହିବାକୁ ସୁଯୋଗ ମିଳୁ। ଏହା ପରେ ପୁଣି ଆଉ ଥରେ ସଦନର ସଦସ୍ୟମାନେ ତାଙ୍କ ଟେବୁଲ ଥାପୁଡାଇ ଥିଲେ ଏବଂ ଶ୍ରୀମତି ବିଶୋୟୀ ହାତ ଯୋଡି ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟମାନଙ୍କୁ ଅଭିବାଦନ ଜଣାଇଥିଲେ ।

Get real time updates directly on you device, subscribe now.